ଅନ୍ତର୍ଜାତୀୟ

ଯେକୌଣସି ମୁହୂର୍ତ୍ତରେ ହମଲା କରିପାରେ ରୁଷ! ବାଇଡେନ ଡାକିଲେ ବୈଠକ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷ ଆଣିବକ ସମରାଭ୍ୟାସ ସହ ସୈନ୍ୟ ସଂଖ୍ୟା ବଢ଼ାଉଛି। ସେହିପରି ଏକାଧିକ ମିଜାଇଲ ମଧ୍ୟ ପରୀକ୍ଷା କରୁଛି ମସ୍କୋ।

ଖାଲି ସେତିକି ନୁହେଁ, ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ରୁଷ ସମର୍ଥନ ଘୋଷଣା କରିଛି। ଏସବୁ ଦେଖିଲେ ରୁଷ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହମଲା କରିପାରେ ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଏଥିସହ ସମ୍ଭାବ୍ୟ ଯୁଦ୍ଧକୁ ପ୍ରଶମିତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଜରୁରୀ ବୈଠକ ମଧ୍ୟ ଡାକିଛନ୍ତି।

ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ବାଇଡେନଙ୍କ ଜାତୀୟ ସୁରକ୍ଷା ଟିମ୍‌ ପୂରା ସ୍ଥିତି ଉପରେ ନଜର ରଖିଛି। ରୁଷ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହମଲା କରିପାରେ ବୋଲି ଏହି ଟିମ୍‌ ବାଇଡେନଙ୍କୁ ସୂଚନା ଦେଇଛି। ରାଷ୍ଟ୍ରପତି ବାଇଡେନ ମଧ୍ୟ ସ୍ଥିତି ଉପରେ ଆଲୋଚନା କରିବାକୁ ଆଜି ବୈଠକ ଡାକିଛନ୍ତି। ଆଜିର ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

ଜି-୭ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ଗ୍ରୁପ୍‌ ମଧ୍ୟ ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ପ୍ରତ୍ୟାହାର କରୁଥିବାର ଖବର ନଥିବା କହିଛି। ଏଥିସହ ସେମାନେ ମଧ୍ୟ ରୁଷର ଆଚରଣକୁ ନେଇ ଚିନ୍ତା ପ୍ରକଟ କରିଛି।

ଏସବୁ ଭିତରେ ସୀମାନ୍ତରେ ଗୁଳିମାଡ଼ ଓ ବିସ୍ଫୋରଣର ଖବର ଆସିଛି। ଏଥିପାଇଁ କିଭ ଓ ମସ୍କୋ ପରସ୍ପରକୁ ଦାୟୀ କରୁଛନ୍ତି। ଦିନକୁ ଦିନ ସ୍ଥିତି ବିଗୁଡ଼ୁ ଥିବାରୁ ଜର୍ମାନୀ ଓ ଫ୍ରାନ୍ସ ନିଜ ଦେଶ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଆମେରିକାର ବୈଦେଶିକ ସଚିନ ଲୟଡ ଅଷ୍ଟିନ ମଧ୍ୟ ରୁଷର ଆଚରଣ ଓ କାର୍ଯ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ରୁଷ ଯବାନମାନେ ଆକ୍ରମଣ ମୁଦ୍ରାରେ ରହିଛନ୍ତି ଓ ସେମାନେ ପୂର୍ବାପେକ୍ଷା ୟୁକ୍ରେନ ସୀମାର ଆହୁରି ନିକଟତର ହେଉଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜେଲେନସ୍କି କହିଛନ୍ତି, “ପ୍ରକୃତରେ ରୁଷ କ’ଣ ଚାହୁଁଛି ବୁଝାପଡୁନାହିଁ। ତେଣୁ ମୁଁ ବୈଠକ କରି ଆପୋଷ ଆଲୋଚନା କରିବାକୁ ପ୍ରସ୍ତାବ ଦେଉଛି। ରୁଷ ନିଜ ପସନ୍ଦ ମୁତାବକ ସ୍ଥାନ ଆଲୋଚନା ପାଇଁ ବାଛି ପାରିବ। ୟୁକ୍ରେନ ଆପୋଷ ଆଲୋଚନା ଓ କୁଟନୀତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ସପକ୍ଷରେ ରହିଛି।”

ୟୁକ୍ରେନ ସୀମାରୁ ରୁଷ ନିଜ ସେନାକୁ ପ୍ରତ୍ୟାହାର କରିନେଇଥିବା କଥା କହୁଥିଲେ ମଧ୍ୟ ଏଥିରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି। ଗୋଟିଏ ପଟେ ଉତ୍ତେଜନା ହ୍ରାସ ସପକ୍ଷରେ ଥିବା ରୁଷ ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com