Breaking NewsFeaturedଓଡ଼ିଶାରାଜନୀତି

୪ ଦିନରେ ଓଡ଼ିଶାର ୪ ଜିଲ୍ଲା ଅତିକ୍ରମ କରିବ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’, ଦେଖନ୍ତୁ

ଏଥର ଆଉ ୱାଦା ଭାଙ୍ଗିବନି। ନିଶ୍ଚୟ ଆସିବେ ରାହୁଲ ଗାନ୍ଧି। ଏଥିପାଇଁ ବେଶ୍ ଆନନ୍ଦିତ ଓଡ଼ିଶା କଂଗ୍ରେସ ଶିବିର। କାରର ଗତବର୍ଷ ସେପ୍ଟେମ୍ବରରୁ ରାହୁଲ-ପ୍ରିୟଙ୍କା ଆସିବେ ଆସିବେ ବୋଲି ବାଟ ଚାହିଁ ବସିଛନ୍ତି ଓଡ଼ିଶା କଂଗ୍ରେସ ନେତୃମଣ୍ଡଳୀ। ତେବେ ଆସନ୍ତା ୧୪ ତାରିଖରେ ମଣିପୁରରୁ ଆରମ୍ଭ ହେଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଓଡ଼ିଶା ଦେଇ ଯିବାକୁ ଥିବାବେଳେ ଝାଡଖଣ୍ଡରୁ ଛତିଶଗଡ଼ ଯାତ୍ରା କାଳରେ ୪ ଦିନରେ ଓଡ଼ିଶାର ୪ ଜିଲ୍ଲା ଅତିକ୍ରମ କରିବ । ରାଜ୍ୟର ୩୪୧ କିଲୋମିଟରରେ ରାହୁଲଙ୍କ ନ୍ୟାୟ ଯାତ୍ରା ଯିବ ବୋଲି ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଏହି ସୂଚୀରେ ପରିବର୍ତ୍ତନ ହେବ। ଦିନେ ଦୁଇ ଦିନ ମଧ୍ୟରେ ରାହୁଲଙ୍କ ଟିମ୍ ଓଡ଼ିଶା ଆସିବେ। ଓଡ଼ିଶା ବୁଲିବା ପରେ ଯାତ୍ରାସୂଚୀ ଚୂଡ଼ାନ୍ତ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଏଠାରେ କହିରଖୁଛୁ ଯେ ଗୁରୁବାର ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟରେ ସମସ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି, ସବୁ ରାଜ୍ୟର ପ୍ରଭାରୀ, ଏଆଇସିସି ସାଧାରଣ ସମ୍ପାଦକ, ବିଧାୟକ ଦଳ ନେତା ଓ କଂଗ୍ରେସ ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଓଡ଼ିଶା ଦେଇ ଯିବେ ବୋଲି ସ୍ଥିର ହୋଇଥିଲା । ତାଲିକାରେ ଓଡ଼ିଶା ଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ରାହୁଲ ଓ ତାଙ୍କ ଟିମକୁ ଧନ୍ୟବାଦ ଦେଇଛନ୍ତି । ସେହିପରି ବୈଠକରେ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ଭଲ କରିବ ସେ ନେଇ ଆଲୋଚନା ହୋଇଥିଲା । ତୁରନ୍ତ ସମସ୍ତ ଲୋକସଭା ସଂଯୋଜକଙ୍କ ନାମ ଘୋଷଣା କରିବାକୁ କୁହାଯାଇଥିଲା । ଏହା ସହିତ ୨ଦିନ ମଧ୍ୟରେ ପ୍ରତି ରାଜ୍ୟରେ ପ୍ରଦେଶ ନିର୍ବାଚନ କମିଟି ବା ପିଇସି ଗଢିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତା ନିର୍ବାଚନରେ କେବଳ ଦେଶରେ ନୁହଁ ଓଡ଼ିଶାରେ ମଧ୍ୟ କଂଗ୍ରେସ ଭଲ କରିବ । ରାଜ୍ୟରେ ୧୦ରୁ ୧୫ଟି ଲୋକସଭା ସିଟ୍ କଂଗ୍ରେସ ଜିତିବ ବୋଲି ପିସିସି ସଭାପତି ଦୃଢ଼ତାର ସହ କହିଛନ୍ତି । ଲୋକଙ୍କ ପାଖକୁ ଯିବା ବେଳେ କଂଗ୍ରେସ ସମୟରେ କି କି ଉନ୍ନତିମୂଳକ କାମ ହୋଇଥିଲା, ତାହା ମନେ ପକାଇ ଦିଆଯିବ ।

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଜିତେନ୍ଦ୍ର ସିଂ ଏବଂ କେ ସି ବେଣୁଗୋପାଳଙ୍କ ସମେତ ସମସ୍ତ ବରିଷ୍ଠ ନେତା ଯୋଗ ଦେଇଥିଲେ । କହିରଖୁଛୁ ଯେ ଭାରତ ଯୋଡୋ ନ୍ୟାୟ ଯାତ୍ରା ମଣିପୁରର ରାଜଧାନୀ ଇମ୍ଫାଲରୁ ଆରମ୍ଭ ହେବ । ଏହି ଯାତ୍ରା ୧୧୦ଟି ଜିଲ୍ଲାର ୧୦୦ ଲୋକସଭା ନିର୍ବାଚନ ମଣ୍ଡଳୀ ଦେଇ ଅତିକ୍ରମ କରିବ । ବିଭିନ୍ନ ରାଜ୍ୟର ଯାତ୍ରା ପଥ ପାଇଁ ଚୂଡାନ୍ତ ରୂପରେଖ ଦିଆଯାଉଥିବାରୁ ଏବେଠୁ ଜିଲ୍ଲାଗୁଡିକର ନାମ ଘୋଷଣା କରାଯାଇନାହିଁ ବୋଲି ଦଳର ମିଡିଆ ବିଭାଗ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com