ଦେଶରେ ଆଣ୍ଟିବାୟୋଟିକ ଔଷଧର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହାକୁ ଦୃଷ୍ଟିରେ ରଖି ଆଣ୍ଟୋବାୟୋଟିକ ବ୍ୟବହାରକୁ ପ୍ରୋତ୍ସାହନ ନ ଦେବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ରୋଗୀଙ୍କୁ ଏହା ଦିଆଯାଉଛି ତେବେ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି। ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ-ଡିଜିଏଚ୍ଏସ୍ ପକ୍ଷରୁ ଏନେଇ ଦେଶର ସମସ୍ତ ଫାର୍ମାସିଷ୍ଟ ଆସୋସିଏସନକୁ ଚିଠି ଲେଖାଯାଇଛି । ଏଥିରେ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ ବିନା ଆଣ୍ଟିବାୟୋଟିକ ନ ଦେବାକୁ ଫାର୍ମାସିଷ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଏହି ଔଷଧ ଅଧିକ ଖାଇ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଉଛି ।
ଦେଶରେ ଆଜିଥ୍ରୋମାଇସନ ୫୦୦ ମିଲିଗ୍ରାମ ସର୍ବାଧିକ ବ୍ୟବହାର ହେଉଛି। ଦିନକୁ ୩୮.୪ କୋଟି ଡୋଜ୍ ନିଆଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ଚିଠି ଅନୁସାରେ ଆଣ୍ଟିମାଇକ୍ରୋବାୟଲ ରେସିଷ୍ଟାନ୍ସ -ଏଏମଆର ବଡ଼ ବିପଦ ପାଲଟିବାରେ ଲାଗିଛି । ୨୦୧୯ରେ ଏଏମଆର ଯୋଗୁଁ ୧୩ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏହା ବ୍ୟତୀତ ଔଷଧର ପ୍ରତିରୋଧ କ୍ଷମତା ଜନିତ ସଂକ୍ରମଣ ଯୋଗୁଁ ୫୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ ଯେ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ସାଧାରଣ ରୋଗ ଭଲ ହେବା ପାଇଁ ମାସ ମାସ ଲାଗି ଯାଉଥିଲା। କିନ୍ତୁ ଆଣ୍ଟିମାଇକ୍ରୋବାୟଲ ଡ୍ରଗ୍ସ ଯେପରକି ଆଣ୍ଟିବାୟୋଟିକ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିଭାଇରାଲର ବ୍ୟବହାର ଯୋଗୁଁ ଏପରି ରୋଗ ଶୀଘ୍ର ଭଲ ହେଇ ଯାଉଥିଲା।ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର କରାଯାଉଥିଲା। କିନ୍ତୁ ବାରମ୍ବାର ଏହି ଔଷଧ ନେଲେ ଜୀବାଣୁ ଉକ୍ତ ରୋଗ ବିରୋଧରେ ପ୍ରତିରୋଧୀ କ୍ଷମତା ବିକଶିତ କରି ନେଇଥାଏ । ଏହା ପରେ ରୋଗୀ ଠିକ୍ ହେବା କାଠିକର ହୋଇ ଯାଇଥାଏ । ଏହାକୁ ଏଏମଆର କୁହାଯାଏ । ଭାରତରେ ସମସ୍ତ ଆଣ୍ଟିବାୟୋଟିକକୁ ଏଚ ଏବଂ ଏଚ-୧ ଶ୍ରେଣୀରେ ରଖାଯାଇଛି। ଏହାକୁ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଔଷଧ କିଣା ଯାଇପାରିବ ନାହିଁ। ଏହା ସତ୍ତ୍ବେ ଲୋକେ ମେଡିକାଲ ଷ୍ଟୋରରୁ ବେଧଡ଼କ ଭାବେ ଏହି ଔଷଧ କିଣି ସେବନ କରୁଛନ୍ତି।
ସ୍ବାସ୍ଥ୍ୟକର୍ମୀଙ୍କଠାରୁ ନେଇ କ୍ବାକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ସାଧାରଣ ଜୀବାଣୁ ସୁପରବଗ୍ ପାଲଟି ଯାଉଛି । ଫଳରେ ସାଧାରଣ ସଂକ୍ରମଣ ଜନିତ ରୋଗ ଭଲ ହେବା ପାଇଁ ଅନେକ ସମୟ ଲାଗୁଛି । ଏଥିପାଇଁ ନିମୋନିଆ, ଟିବି, ରକ୍ତ ବିଷାକ୍ତ ଏବଂ ଗନେରିଆ ଭଳି ରୋଗର ଚିକିତ୍ସା କଷ୍ଟସାଧ୍ୟ ହୋଇଯାଇଛି । ଆଇସିଏମଆର ଅନୁଯାୟୀ ନିମୋନିଆ, ସେପ୍ଟିସିମିଆ ରୋଗରେ ବ୍ୟବୃତ ହେଉଥିବା କାର୍ବେପନେମ ଉପରେ କଟକଣା ଲଗାଇ ଦିଆଯାଇଛି। କାରଣ ଏହି ଔଷଧ ଏବେ ଜୀବାଣୁ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ।