ଜଗନ୍ନାଥ ପ୍ରଧାନଙ୍କୁ ‘ପ୍ରାଇମାଫେସି’ ପ୍ରମାଣ ଆଧାରରେ ଗିରଫ କଲା ପୋଲିସ

ଭୁବନେଶ୍ୱର, ୪|୭: ଜୁନ ୩୦ ତାରିଖରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପ୍ରଥମେ ୫ ଜଣ ଗିରଫ ହୋଇଥିଲେ, ବର୍ତ୍ତମାନ ଗିରଫ ଦାରି ୬ ଜଣକୁ ପହଞ୍ଚିଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଏଫଆଇଆର ଆଧାରରେ ଜଣେ ଅଭିଯୁକ୍ତ ଭାବରେ ଥିବା ଜଗନ୍ନାଥ ପ୍ରଧାନଙ୍କ ବିରୁଦ୍ଧରେ ପୀଡିତଙ୍କ ବୟାନ ଓ ଅନ୍ୟ ତଥ୍ୟ ମାଧ୍ୟମରେ ଯେଉଁ ପ୍ରମାଣ ମିଳିଛି, ତାହାକୁ “ପ୍ରାଇମାଫେସି” ପ୍ରମାଣ ବୋଲି ଚିହ୍ନଟ କରି ତାଙ୍କୁ ଗିରଫ କରାଯାଇଛି।
ଡିସିପି ମୀନା କହିଛନ୍ତି ଯେ, ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିଥିଲେ, ଯାହାପରେ ପ୍ରାଥମିକ ତଦନ୍ତରେ ତାଙ୍କ ବିରୁଦ୍ଧରେ ଅପରାଧ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ମିଳିଥିଲା। ଏହି ପ୍ରମାଣ ଦେଖି ପୋଲିସ ତାଙ୍କ ଗିରଫ କରିଛି। ଏଥି ସହ ଗତିବିଧି ଅନୁସାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମଧ୍ୟ ପଦକ୍ଷେପ ଚାଲିଛି।
ପ୍ରାଇମାଫେସି ପ୍ରମାଣର ଆଇନଗତ ଅର୍ଥ ଓ ଗୁରୁତ୍ୱ:
“ପ୍ରାଇମାଫେସି” ଏକ ଲାଟିନ ଶବ୍ଦ, ଯାହାର ଅର୍ଥ “ପ୍ରଥମ ଦୃଷ୍ଟିରେ”। ଆଇନ ଅନୁଯାୟୀ, ଯଦି କୌଣସି ମାମଲାରେ ଏମିତି ପ୍ରମାଣ ମିଳିଥାଏ ଯାହା ଅଭିଯୋଗ କୁ ମଜବୁତ କରେ, ତେବେ ସେହି ମାମଲାକୁ ଆଗକୁ ବଢ଼ାଯାଏ। ଏହି ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରାଯାଏ। ଏହା କେବଳ ଶୁଣାଣି ପାଇଁ ଯୋଗ୍ୟତା ସୃଷ୍ଟି କରିଥାଏ, ଶେଷ ନିଷ୍ପତ୍ତି କୋର୍ଟ ଶୁଣାଣି ପରେ ନେଉଛି।