ରାଜନୀତି

ବିଜେପିରେ ପୁଣି ବାଜି ମାରିବେ ୫ମହିଳା ଶକ୍ତି ! ଦେଖନ୍ତୁ ପୂର୍ବ ରେକର୍ଡ

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ରାଜ୍ୟରୁ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । କିନ୍ତୁ ଉତରପ୍ରଦେଶ ଲୋକସଭା ଆସନ ପାଇଁ ସର୍ବାଧିକ ୫୧ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରୁ ପ୍ରାର୍ଥର୍ୀ ହୋଇଥିବା ବେଲେ, ୫ ଜଣ ମହିଳା ପ୍ରାର୍ଥୀଙ୍କୁ ବିଜେପି ତାର ପ୍ରଥମ ତାଲିକାରେ ସ୍ଥାନ ଦେଇଛି ।

ଏଥିମଧ୍ୟରେ ମଥୁରା ଲୋକସଭା ଆସନରୁ ହେମା ମାଳିନୀ, ଧୌରହରା ଆସନରୁ ରେଖା ବର୍ମା, ଅମେଠିରୁ ସ୍ମୃତି ଇରାନୀ, ଫତେହପୁରର ସାଧୱୀ ନିରଂଜନ ଜ୍ୟୋତି ଏବଂ ଲାଲଗଞ୍ଜରୁ ନୀଲମ ସୋନକର ରହିଛନ୍ତି। ତେବେ ବଲିଉଡର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀଙ୍କୁ ତୃତୀୟ ଥର ପାଇଁ ମଥୁରା ଲୋକସଭା ଆସନରୁ ବିଜେପି ଛିଡା କରେଇଛି । ସେ ୨୦୧୪ ଲୋକସଭା ନିର୍ବାଚନରେ ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କୁ ପରାସ୍ତ କରିଥିଲେ । ସେହିପରି ୨୦୧୯ ନିର୍ବାଚନରେ ସପା-ଆରଏଲଡି ମହାମେଣ୍ଟ ପ୍ରାର୍ଥୀ ନରେନ୍ଦ୍ର ସିଂଙ୍କୁ ପରାସ୍ତ କରିଛନ୍ତି ହେମା । ସେହିପରି ୨୦୧୪ରେ ଆମେଠୀରୁ ମଇଦାନକୁ ଓହ୍ଲାଇଥିଲେ ସ୍ମୃତି ଇରାନୀ । କିନ୍ତୁ ସେ ପରାସ୍ତ ହୋଇଥିଲେ । ପରେ ୨୦୧୯ରେ ପୁଣି ଥରେ ଭରସା କରି ଟିକେଟ ଦେଇଥିଲା ବିଜେପି । ଏହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ କରିଦେଇଥିଲେ ସ୍ମୃତି ।

ଠିକ ସେମିତି ଫତେହପୁରର ସାଂସଦ ସାଧୱୀ ନିରଂଜନ ଜ୍ୟୋତିଙ୍କୁ ମଧ୍ୟ ତୃତୀୟ ଥର ପାଇଁ ଫତେହପୁରର ପାର୍ଥୀ ଘୋଷଣା କରିଛି ବିଜେପି । ସାଧୱୀ ନିରଂଜନ ଜ୍ୟୋତି କେନ୍ଦ୍ରରେ ମୋଦୀ ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ୨୦୧୯ରେ ସାଧୱୀ ସପା-ବିଏସପି ମହାମେଣ୍ଟର ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ସେପଟେ ଧୌରହରା ଲୋକସଭା ଆସନରୁ ଲଗାତର ଦୁଇଥର ସାଂସଦ ହୋଇଥିବା ରେଖା ବର୍ମା ବିଜେପି ସଂଗଠନରେ ନିଜର ସ୍ଥିତିକୁ ନିରନ୍ତର ଭାବେ ମଜବୁତ କରିଛନ୍ତି। ତାଙ୍କୁ ଗତ ବର୍ଷ ଦ୍ୱିତୀୟ ଥର ପାଇଁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଥିଲା । ରେଖା ବର୍ମା ମଧ୍ୟ ଉତ୍ତରାଖଣ୍ଡର ପ୍ରଭାରୀ ଦାୟିତ୍ୱରେ ମଧ୍ୟ ରହିଛନ୍ତି । ଏହାସହ ପୂର୍ବତନ ସାଂସଦ ନୀଲମ ସୋନକରଙ୍କୁ ଲାଲଗଞ୍ଜର ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨୦୧୯ ନିର୍ବାଚନରେ ସପା-ବିଏସପି ମହାମେଣ୍ଟଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ନୀଲମ ସୋନକରଙ୍କୁ ।

Related Articles

Back to top button
WP Twitter Auto Publish Powered By : XYZScripts.com