ନୂଆ ଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟବର ସିଂହ । ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ୯୩ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। । ୧୯୩୧ରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଜନ୍ମିତ ସ୍ୱର୍ଗତ ନଟବର ମାତ୍ର ୨୨ ବର୍ଷ ବୟସରେ ଆଇଏଫ୍ଏସ୍ ପାଇଥିଲେ। ସେ ୧୯୭୩ରୁ ୧୯୭୭ ପର୍ୟ୍ୟନ୍ତ ସେ ୟୁକେରେ ଭାରତର ଡେପୁଟି ହାଇ କମିଶନର ଭାବେ କାର୍ଯ୍ୟ କରିଥିଲେ। ସେହିପରି ୧୯୭୭ରେ ସେ ହୋଇଥିଲେ ଜାମ୍ବିଆରେ ଭାରତର ହାଇକମିଶନର । ୧୯୮୦ରୁ ୧୯୮୨ ପର୍ଯ୍ୟନ୍ତ ସେ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବା ପରେ ୧୯୮୪ରେ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ସେହି ବର୍ଷ ସେ କଂଗ୍ରେସ ଟିକେଟରେ ରାଜସ୍ଥାନର ଭରତପୁର ଆସନରୁ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ସରକାରରେ ସେ ଇସ୍ପାତ, କୋଇଲା, ଖଣି ଓ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଏହାପରେ ୧୯୮୬ରେ ସେ ହୋଇଥିଲେ ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ । ସେହିଭଳି ୧୯୮୯ ସାଧାରଣ ନିର୍ବାଚନରେ ସେ ମଥୁରା ଆସନରୁ ପରାସ୍ତ ହେବା ପରେ ତାଙ୍କ ରାଜନୀତିକ କ୍ୟାରିୟରରେ କିଛି ବର୍ଷ ଅସ୍ଥିରତା ଦେଖାଦେଇଥିଲା । ଯେଉଁଥି ପାଇଁ ସେ କଂଗ୍ରେସ ଛାଡ଼ିଥିଲେ। ୨୦୦୨ରେ ପୁଣି କଂଗ୍ରେସକୁ ଫେରି ରାଜ୍ୟସଭାକୁ ଯିବାପରେ ୨୦୦୪ରୁ ୨୦୦୫ ପର୍ୟ୍ୟନ୍ତ ମନମୋହନ ସିଂହ ସରକାରରେ ବୈଦେଶିକ ବ୍ୟାପର ମନ୍ତ୍ରୀ ରହିଥିଲେ ସ୍ୱର୍ଗତ କେ. ନଟବର ସିଂହ । ଏହା ଛଡ଼ା ଜଣେ ପ୍ରଖ୍ୟାତ କୁଟନୀତିଜ୍ଞ ଭାବେ ତାଙ୍କର ସୁନାମ ରହିଛି । ତେବେ ନଟବରଙ୍କ ବିୟୋଗରେ ରାଜନୀତି ତଥା ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।