ଜାତୀୟ

ଅକାଳ ପୀଡିତଙ୍କ ପାଇଁ ଲତା ଉପବାସରେ ଗାଇଥିଲେ କ୍ରମାଗତ ୨୬ଟି ଗୀତ

ଜୟପୁର: ଭାରତ ରତ୍ନ ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ନିଧନ ହୋଇଯାଇଛି। ରାଜସ୍ଥାନର ଭାଷା ଓ ସଂସ୍କୃତି ସହିତ ମଧ୍ୟ ସେ ଜଡିତ ଥିଲେ। ସେ ଅକାଳ ପୀଡିତଙ୍କ ପାଇଁ ଥରେ ଜୟପୁରର ଏସଏମଏସ୍ ଷ୍ଟାଡିୟମରେ ବିନା ପାଉଣାରେ ସଙ୍ଗୀତ ସୋ କରିଥିଲେ। ସେ ସୋ ପାଇଁ ପଇସା ନେବା ବଦଳରେ ଓଲଟା ପୀଡିତମାନଙ୍କ ପାଇଁ ଅର୍ଥ ଦାନ କରିଥିଲେ। ଏହି ସୋ’ରେ ଲତା ଖାଲିପେଟରେ ୨୬ଟି ଗୀତ ଗାଇଥିଲେ।

୨୬ ନଭେମ୍ବର ୧୯୮୭ରେ ହୋଇଥିବା ଏହି ସୋ’କୁ ଦେଖିବା ପାଇଁ ଟିକେଟ୍ କିଣି ସେତେବେଳର ମୁଖ୍ୟମନ୍ତ୍ରୀ ହରିଦେବ ଜୋଷୀ ମଧ୍ୟ ଆସିଥିଲେ। ଏହି ସୋ’ରୁ ୧ କୋଟି ୧ ଲକ୍ଷ ଟଙ୍କା ଆୟ ହୋଇଥିଲା ଯାହାର ଚେକ୍ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ଅକାଳ ପୀଡିତମାନଙ୍କ ପାଇଁ ଦିଆଯାଇଥିଲା.

ରାଜସ୍ଥାନରେ ୧୯୮୭ରେ କ୍ରମାଗତ ଭାବେ ଅକାଳ ପରିସ୍ଥିତି ଉପୁଜିଥିଲା। ଅକାଳ ପୀଡିତଙ୍କ ପାଇଁ ସୁର୍ ସଙ୍ଗମ୍ ସଂସ୍ଥା ଜୟପୁରର ଏସଏମଏସ୍ ହସ୍ପିଟାଲରେ ଏକ ସଙ୍ଗୀତ ସୋ ରଖିଥିଲା। ସୁର୍ ସଙ୍ଗମ୍ ସଂସ୍ଥା ଲତାଙ୍କୁ ଅନୁରୋଧ କରିବାରୁ ଲତା ବିନା ପାଉଣାରେ ପ୍ରୋଗ୍ରାମ୍ କରିବା ପାଇଁ ରାଜି ହୋଇଯାଇଥିଲେ।

ସେହି ପ୍ରୋଗ୍ରାମରେ ସମସ୍ତ କଳାକାର ବିନା ପାଉଣାରେ କଳା ପ୍ରଦର୍ଶନ କରିଥିଲେ। ସେ ସମୟରେ ଲତା ଚାରିଦିନ ରାଜସ୍ଥାନରେ ରହିଥିଲେ ଓ ଜୟପୁରରେ ଅଧିକ ସମୟ ରହିଥିଲେ। ସେ ଅକାଳ ପୀଡିତଙ୍କ ପାଇଁ ସୋ କରିବା ପାଇଁ ୨୪ ନଭେମ୍ଵରରେ ଜୟପୁର ପହଞ୍ଚିଥିଲେ ଓ ୨୬ ତାରିଖ ଦିନ ସୋ କରିଥିଲେ।

ସୁର୍ ସଙ୍ଗମ୍ ସଂସ୍ଥାର ଅଧ୍ୟକ୍ଷ ରହିଥିବା କେସି ମାଲୁ ଏକ ଜାତୀୟ ଗଣମାଧ୍ୟକୁ କହିଛନ୍ତି, ସେ ଗୁରୁବାର ଦିନ ଉପବାସ ରଖୁଥିଲେ ଓ ଉପବାସ ଦିନ ଗୀତ ଗାଉ ନଥିଲେ। ତାଙ୍କର ଆଉ ଗୋଟିଏ ନିୟମ ଥିଲା ଯେ ସେ ଗୋଟିଏ ଥରରେ ଗୋଟିଏ ଗୀତ ହିଁ ଗାଉଥିଲେ। ବିଶ୍ରାମ କରିବା ପରେ ଆଉ ଗୋଟିଏ ଗୀତ ଗାଉଥିଲେ। ଏସଏମଏସ୍ ଷ୍ଟାଡିୟମରେ ସେ ପ୍ରଥମ ଥର ପାଇଁ ଦୁଇଟି ଯାକ ନିୟମ ଭାଙ୍ଗିଥିଲେ। ଉପବାସ ସତ୍ତ୍ଵେ ସେ ଏକାଥରେ ୨୬ଟି ଗୀତ ଗାଇଥିଲେ।

ଏସଏମଏସ୍ ଷ୍ଟାଡିୟମରେ ହୋଇଥିବା ଏହି ସୋ’ ରେ ୪୦ ହଜାର ଦର୍ଶକ ଟିକେଟ୍ କାଟି ଷ୍ଟାଡିୟମକୁ ପ୍ରବେଶ କରିଥିଲେ। ତେବେ ଲତା ମଙ୍ଗେସକର ଗୀତ ଗାଇବା ବେଳେ ସମସ୍ତେ ନୀରବ ହୋଇଯାଇଥିଲେ। ଜୟପୁରର ଦର୍ଶକଙ୍କୁ ଦେଖି ଲତା ମଙ୍ଗେସକର କହିଥିଲେ ଜୟପୁରର ଦର୍ଶକ ବିଶ୍ଵସ୍ତରୀୟ। ଅକାଳ ପୀଡିତଙ୍କ ସାହାଯ୍ୟ ପାଇଁ ସେତେବେଳେ ଲତା ଜୟପୁରରେ କରିଥିବା ସୋ ସଦା ସ୍ମରଣୀୟ ହୋଇରହିବ ବୋଲି କେସି ମାଲୁ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com