![](https://i0.wp.com/odia.mobilenews24x7.com/wp-content/uploads/2024/08/Himant.jpg?resize=780%2C470&ssl=1)
ନୂଆ ଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଓଡିଶାକୁ ବାରମ୍ବାର ଗସ୍ତ କରି ବିଜେପିକୁ ସରକାରକୁ ଆଣିବାରେ ନେଇଥିଲେ ଖାସ୍ ଭୂମିକା । ବିଶେଷକରି ଆଶ୍ଚର୍ଯ୍ୟ ଜନକ ଭାବେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଚହଳ ପକାଇଥିଲେ । ଯାହା ପରବର୍ତ୍ତୀ ସମୟରେ ଏକ ବଡ ମୁଦ୍ଦା ହୋଇ ବେଶ୍ ପ୍ରଭାବିତ କରିଥିଲା ଓଡ଼ିଶାବାସୀଙ୍କୁ ।
ଆଉ ଶାସନ କ୍ଷମତା ହରାଇଥିଲା ବିଜେଡି । ଖାଲି ଓଡିଶା ନୁହେଁ ପୂର୍ବରୁ ମହାରାଷ୍ଟ୍ରରେ ଏକନାଥ ସିନେ୍ଦ ମୁଖ୍ୟମନ୍ତ୍ରୀ ହେବା ସମୟରେ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ମଧ୍ୟ ହିମନ୍ତଙ୍କ ଦାୟିତ୍ୱରେ ଆସାମର ଗୌହାଟୀରେ ରହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏକନାଥ ସିନେ୍ଦ ।
ତେବେ ୨ଟି ରାଜ୍ୟ ପାଇଁ ସଫଳ ହେବା ପରେ ଦିଲ୍ଲୀ ବିଜେପି ପୁଣି ହିମନ୍ତଙ୍କୁ ଦେଇଥିଲା ଝାଡଖଣ୍ଡ ଦାୟିତ୍ୱ । ଆଉ ୨ ମାସ ଭିତରେ ପ୍ରଭାବ ଦେଖାଇଛନ୍ତି ହିମନ୍ତ । ଝାଡଖଣ୍ଡରେ ଶିବୁ ସୋରେନ୍ ଏବଂ ହେମନ୍ତ ସୋରେନଙ୍କ ଅତି ନିକଟତର ଚମ୍ପାଇ ସୋରେନଙ୍କୁ ବିଜେପିକୁ ଆଣିବାରେ ସଫଳ ହୋଇଛନ୍ତି ।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେ.ଏମ୍.ଏମର ୨ ନମ୍ବର ନେତା କୁହାଯାଉଥିବା ଚମ୍ପାଇ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ହିମନ୍ତ ବିଶ୍ୱଶର୍ମା ଜେଏମଏମକୁ ଭାଙ୍ଗିବା ସଫଳ ହୋଇଥିବା ଚର୍ଚ୍ଚା ହେଉଛି ।
ଏପରିକି ଯେକୌଣସି ସମୟରେ ଚମ୍ପାଇ ପଦ୍ମ ଧରି ପାରନ୍ତି । ଯଦି ଏପରି ହୁଏ ଚମ୍ପାଇଙ୍କ ସହ ଅନ୍ୟ ୬ ବିଧାୟକ ବିଜେପିରେ ମିଶିବେ । ଯାହା ହେମନ୍ତ ସୋରେନଙ୍କ ଜେଏମଏମ ମେଣ୍ଟ ସରକାରକୁ ଭାଙ୍ଗି ଦେଇପାରେ । ଏବେ ହିମନ୍ତଙ୍କ ଚାଣକ୍ୟ ନୀତି ଝାଡଖଣ୍ଡରେ ବିଜେପିକୁ କ୍ଷମତାରେ ଆଣୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।