ଭୁବନେଶ୍ୱର: ଗତ ୨୫ ତାରିଖରେ ବିଜେଡି କରିଥିଲା ପ୍ରଶିକ୍ଷଣ ଶିବିର । ଶଙ୍ଖ ଭବନରେ ଆୟୋଜନ ହୋଇଥିଲା ବିଧାୟକଙ୍କ ପାଠଶାଳା । ଯେଉଁଥିରେ ନବନିର୍ବାଚିତ ବିଧାୟକଙ୍କ ସହ ଅନ୍ୟ ବିଧାୟକଙ୍କୁ ଦିଆଯାଇଥିଲା ଟ୍ରେନିଂ ।
ଖୋଦ ବିଜେଡି ସୁପ୍ରିମୋ ବି ଯୋଗ ଦେଇଥିଲେ ଏହି କ୍ଲାସରେ । ୨ଦିନ ଧରି ବିଧାୟକଙ୍କୁ ଶିକ୍ଷା ଦେଇଥିଲେ ପ୍ରଶିକ୍ଷକ ବା ଦଳର ବରିଷ୍ଠ ନେତା । ବିଶେଷ କରି ପ୍ରଥମ ଥର ଯେଉଁମାନେ ବିଧାନସଭାକୁ ଆସିଛନ୍ତି, ସେମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ ।
କେମିତି ପ୍ରଶ୍ନ କରିବେ, ଆଚରଣ କଣ ରହିବ, ପ୍ରଶ୍ନକାଳ, ଶୂନ୍ୟକାଳ କେମିତି ଚାଲିବ, ଗୃହ ଭିତରେ ବିରୋଧୀ ହିସାବରେ କେମିତି ହାବଭାବ ରହିବ ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା ।
ହେଲେ ଏବେ ଚାଲିଥିବା ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ନବାଗତ ବିଧାୟକଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିଧାନସଭା ପ୍ରଶ୍ନକାଳରେ କଣ ପଚାରିବେ ଜାଣିପାରୁନାହାନ୍ତି । କଣ ଚାଲିଛି କିଛି ବୁଝି ପାରୁନାହାନ୍ତି ବିଧାୟକ ।
କାରଣ ଗୋଟିଏ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟ ବିଭାଗ ଉପରେ ପ୍ରଶ୍ନ କରୁଛନ୍ତି ନବନିର୍ବାଚିତ ବିଧାୟକମାନେ । ଉଚ୍ଚଶିକ୍ଷା ବିଭାଗର ପ୍ରଶ୍ନୋତ୍ତର ବେଳେ ଜଳସଂପଦ ବିଭାଗ ଉପରେ ପ୍ରଶ୍ନ କରୁଛନ୍ତି ମନୋରମା ।
ସେହିପରି ଗୃହରେ ଛତୁଆ ପ୍ରସଙ୍ଗରେ ଉଦବେଗ ପ୍ରକାଶ ପାଇଥିବା ବେଳେ ନବ ମଲ୍ଲିକ କରୁଛନ୍ତି ଅଙ୍ଗନୱାଡି କେନ୍ଦ୍ର ଉପରେ କୋଶ୍ଚିନ୍ । ଆଉ ଏଭଳି ଦୃଶ୍ୟ ପରେ ଲୋକେ କହିଲେଣି କି କାମ ଦେଲାନି ପ୍ରଶିକ୍ଷଣ ଶିବିର । ଫେଲ୍ ମାରିଛି ବିଜେଡ଼ିର ଟ୍ରେନିଂ ।