ଓଡ଼ିଶା

ନୂଆ ମଦ ଦୋକାନ ଖୋଲାଯିବ ନାହିଁ, ଆସିଲା ନୂଆ ଅବକାରୀ ନୀତି, କଣ ଜାଣନ୍ତୁ

ଭୁବନେଶ୍ୱର: ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଚଳିତବର୍ଷ ଅର୍ଥାତ ୨୦୨୪ ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହେବ । ଯାହା ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସର୍ତ୍ତ ରଖାଯାଇଛି। ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଗ୍ରାମାଞ୍ଚଳରେ କେବଳ ଥ୍ରୀ-ଷ୍ଟାର୍ ଏବଂ ତଦୁର୍ଦ୍ଧ ବର୍ଗର ହୋଟେଲ ବ୍ୟତୀତ କୌଣସି ନୂଆ ଅନ୍ ସପ୍ ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।

ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍ ର ପୁନଃ ନବୀକରଣ କରାଯିବନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା ଏମଜିକ୍ୟୁ ଫ୍ୟାକ୍ଟର ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । ବାର୍ ଗୁଡିକ କେବଳ ସଙ୍ଗୀତ ପରିବେଷଣ ର ଅନୁମତି ପାଇବେ ।

କିନ୍ତୁ ନୃତ୍ୟ ପରିବେଷଣ (ବାର୍ ଡ୍ୟାନ୍ସ)କୁ ଅନୁମତି ଦିଆଯିବ ନାହିଁ। ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି ।

ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I

ଅନ୍ୟପଟେ ଗତ କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ କିଛି ଡ୍ୟାନ୍ସ ବାର୍ ବନ୍ଦ କରିଥିବା ବେଳେ ସେଗୁଡିକ ପୁଣି ଖୋଲିବା କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସରକାର ଏଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ ଏହି ଡ୍ୟାନ୍ସ ବାର ଗୁଡିକ ଅନେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାରୁ ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ବିଭିନ୍ନ ଅନୈତିକ କାର୍ଯ୍ୟ ମଧ୍ୟ ଚାଲୁଇଥିଲା, ଯାହା ଉପରେ ଏବେ ରୋକ ଲାଗିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com