ଜାତୀୟରାଜନୀତି

ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି । ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ବିପଦ ରହିଛି । ସଦ୍ୟତମ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ବିଜେପି ବିଧାୟକଙ୍କ ଚିଠି ପଠାଇଛନ୍ତି । ଏହାକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ରାଜନୀତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବହୁଦିନ ହେବ ଜେଲରେ ରହିବା ପରେ ଏବେ ଦିଲ୍ଲୀ ଶାସନ ରାଷ୍ଟ୍ରପତିଙ୍କ ହାତକୁ ଯିବା ଏକ ପ୍ରକାର ଚର୍ଚ୍ଚାର ଶିରୋନାମା ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଏନେଇ ରାଷ୍ଟ୍ରପତି ଗୃହ ମନ୍ତ୍ରାଳାୟକୁ ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏଥିସହିତ ଏହା ବି ଚର୍ଚ୍ଚା ଜୋର ଧରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି ।

ତେବେ ଏନେଇ କୌଣସି ଠୋସ୍ ଖବର ମିଳିପାରିନାହିଁ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ବରଖାସ୍ତ ଦାବିରେ କିଛି ବିଜେପି ନେତା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେମାନେ ଉଲ୍ଲେଖ କରିଥିଲେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲ୍ ଯିବା ପରେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ଯାହାକୁ ରାଷ୍ଟ୍ରପତି ଗମ୍ଭୀରତାର ସହ ଗ୍ରହଣ କରିବା ସହିତ କାଳେ ଗୃହ ମନ୍ତ୍ରାଳୟକୁ ଚିଠି ପଠାଇଛନ୍ତି ।

ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପି ବିଧାୟକଙ୍କ ଉକ୍ତ ଚିଠିକୁ ଗୃହ ସଚିବଙ୍କୁ ଦେଇଛନ୍ତି । ସେବେଠୁ ଚର୍ଚ୍ଚା ଜୋର ଧରିଛି, ଉକ୍ତ ଚିଠିରେ କ’ଣ ଲେଖାଅଛି ? ରାଷ୍ଟ୍ରପତି ଏହି ଚିଠିକୁ ଗୁରୁତର ସହ ନେଇ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବେ କି? ସୂଚନାଯୋଗ୍ୟ, ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ବିଜେପି ନେତା ରାଷ୍ଟ୍ରପତିଙ୍କୁ ଭେଟିଥିଲେ ।

ଦିଲ୍ଲୀ ସରକାରଙ୍କ ବ୍ୟବସ୍ଥା ଓ ଆର୍ଥିକ ସଙ୍କଟ ବିଷୟରେ ଏକ ଚିଠିପତ୍ର ମାଧ୍ୟମରେ ତାଙ୍କୁ ଅବଗତ କରାଇଥିଲେ । ମଦ ନୀତି ଠାରୁ ଆରମ୍ଭ କରି ୱାଟର ବୋର୍ଡରେ ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଏହି ଚିଠିରେ ଆଳୋକପାତ କରାଯାଇଥିଲା। ଧାରା ୩୫୬ ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ବରାଖାସ୍ତର କରିବା ପାଇଁ ପ୍ରସ୍ତାବ ମଧ୍ୟ ରଖିଥିଲେ ବିଜେପି ବିଧାୟକ ।

ରାଷ୍ଟ୍ରପତି ମଧ୍ୟ ଏହାକୁ ଗୁରୁତର ସହ ନେଇ ଗୃହ ମନ୍ତ୍ରାଳୟକୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାପରେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏନେଇ ଗୃହ ମନ୍ତ୍ରଣାଳୟ ଏହା ଉପରେ କ’ଣ ଉତ୍ତର ଦେଉଛନ୍ତି ସେ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଯଦି ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବା ନେଇ ରାଜି ହୁଅନ୍ତି, ତେବେ ସମ୍ଭବତଃ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହୋଇପାରେ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com