ଓଡ଼ିଶା

ଏସସିବି ମେଡିକାଲରେ ସଫଳ ହୋଇଛି ଦ୍ଵିତୀୟ ଲିଭର ଟ୍ରାନସପ୍ଲାଣ୍ଟ,କେମିତି ଜାଣନ୍ତୁ

କଟକ: ଏସସିବି ମେଡିକାଲରେ ସଫଳ ହୋଇଛି ଦ୍ଵିତୀୟ ଲିଭର ଟ୍ରାନସପ୍ଲାଣ୍ଟ । ନୟାଗଡ଼ ଅଞ୍ଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇ ଥିଲା । ତାଙ୍କ ପତ୍ନୀ ଛବି ମଲ୍ଲିକ ମାନସଙ୍କୁ ଲିଭର୍ ଦାନ କରିଛନ୍ତି।

ପ୍ରଫେସର ଡା.ବାଲକ୍ରିଷ୍ଣନ ମେନନଙ୍କ ନେତୃତ୍ୱରେ ଏଆଇଜି ହାଇଦ୍ରାବାଦରୁ ଆସିଥିବା ୪ ଜଣିଆ ଡାକ୍ତରୀ ଦଳଙ୍କ ସହ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲର ଯକୃତ ପ୍ରତିରୋପଣ ବିଭାଗର ନୋଡାଲ ଅଧିକାରୀ ପ୍ରଫେସର ଡା.ରାଜେଶ କୁମାର ଦୋରା, ନିଶ୍ଚେତକ ବିଭାଗ ପ୍ରଫେସର ଡା.ପ୍ରମୋଦ କୁମାର ପଲାଇ, ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ଡା.ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ନିଦାନ ବିଭାଗର ପ୍ରଫେସର ଡା.କୌମୁଦୀ ପଟନାୟକ ପ୍ରମୁଖ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଛନ୍ତି ।

ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉକ୍ତ ବିଭାଗର ଆଇସିୟୁରେ ରଖାଯାଇଛି । ଏସସିବି ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ଡା.ଲୁସି ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିବାବେଳେ ଅତରିକ୍ତ ଅଧିକ୍ଷକ ଡା.ମନୋଜ କୁମାର ପଟନାୟକ ଏବଂ କୁଳ ସଚିବ ଡା.ଅବିନାଶ ରାଉତ ସମସ୍ତ କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ ।

ଯକୃତ ପ୍ରତିରୋପଣ କାର୍ଯ୍ୟରେ ସମସ୍ତ ବିଭାଗୀୟ ମୁଖ୍ୟ ହେପାଟୋଲୋଜି, ହେମାଟୋଲୋଜି, ରେଡ଼ିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡ଼ିସିନ, ନିଶ୍ଚେତକ ବିଭାଗ ଏବଂ ସର୍ଜରୀ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା । ସମ୍ପୃକ୍ତ ରୋଗୀ ମାନସ ଗତ ୩ ମାସ ହେବ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com