ଜାତୀୟରାଜନୀତି

ଭିନେଶ ଫୋଗାଟଙ୍କୁ ଦେବେ ଟକ୍କର ଦେବେ କ୍ୟାପ୍ଟେନ୍‌ ଯୋଗେଶ ବୈରାଗୀ, କିଏ ଜାଣନ୍ତୁ

ନୂଆଦିଲ୍ଲୀ: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ । ଅକ୍ଟୋବର ୫ରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ପର୍ଯ୍ୟାୟରେ ଦଳ ୨୧ ଜଣଙ୍କ ନାଁ ଘୋଷଣା କରିଛି । ଏହାକୁ ମିଶାଇ ବିଜେପି ହରିୟାଣାର ୯୦ଟି ବିଧାନସଭା ଆସନରୁ ୮୮ଟି ସ୍ଥାନରେ ପ୍ରାର୍ଥୀ ଦେଇ ସାରିଲାଣି । ଏବେ ଆଉ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ।

ପ୍ରଥମ ପର୍ଯ୍ୟାୟରେ ଦଳ ୬୭ ଜଣଙ୍କ ନାଁ ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ଜୁଲାନା ଆସନରୁ କିଏ ଲଢ଼େଇ କରିବେ, ତାଙ୍କ ନାଁ ସାର୍ବଜନୀନ କରିଛି । ଜୁଲାନାରେ ଏଥର ହାଇପ୍ରୋଫାଇଲ ଲଢ଼େଇ ହେବ । କାରଣ ଗୋଟିଏ ପଟେ କଂଗ୍ରେସରୁ ଷ୍ଟାର ରେସଲର ତଥା ଅଲିମ୍ପିଆନ ଭିନେଶ ଫୋଗାଟ ରହିଥିବା ବେଳେ କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ଭିନେଶ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା । ଏଠାରେ ବିଜେପି କାହାକୁ ଟିକେଟ ଦେବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଥିଲା l ଆଜି କ୍ୟାପ୍ଟେନ ଯୋଗେଶଙ୍କ ନାଁ ଘୋଷଣା କରାଯାଇଛି । କ୍ୟାପ୍ଟେନ ଯୋଗେଶ ଏବେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି। ସେହିପରି ସେ ହରିୟାଣା ବିଜେପିର କ୍ରୀଡ଼ା ସେଲର ସହ ଆବାହକ ଭାବେ କାର୍ଯ୍ୟ କରୁଥିବା ଫେସବୁକରେ ଉଲ୍ଲେଖ କରିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ଘନିଷ୍ଠ କୁହାଯାଉଥିବା ପବନ ସୈନିଙ୍କୁ ବିଜେପି ନାରାୟଣଗଡ଼ରୁ ପ୍ରାର୍ଥୀ କରିଛି । ପୁଣ୍ଡ୍ରୀ ଆସନରୁ ସତପାଲ ଜାମ୍ବା ପ୍ରାର୍ଥୀ ହୋଇଛନ୍ତି । ପୁନହାନାରୁ ଅଜିତ ଖାନ, ହାଥିନରୁ ମନୋଜ ରାୱତ ଓ ହୋଡାଲରୁ ହରିନ୍ଦର ସିଂହଙ୍କୁ ଟିକେଟ ମିଳିଛି । ହରିୟାଣା ବିଜେପିର ପୂର୍ବତନ ମୁଖିଆ ଓମ ପ୍ରକାଶ ଧନକର ବଡଲି ଆସନରୁ ଲଢ଼ିବେ । ବରିଷ୍ଠ ନେତା ଅନୀଲ ବିଜ ପୂର୍ବଭଳି ପାରମ୍ପରିକ ଅମ୍ବାଲା କ୍ୟାଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି ।

ଅନ୍ୟପଟେ ହରିୟାଣାରେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ବିଜେପି । କିନ୍ତୁ ବିଜେପିକୁ କଂଗ୍ରେସ ପାଖରୁ କଡ଼ା ଟକ୍କର ମିଳିପାରେ ବୋଲି କୁହାଯାଉଛି । ରାଜ୍ୟରେ ସରକାର ବିରୋଧୀ ହାଓ୍ବାର ଫାଇଦା ନେବାକୁ ଚେଷ୍ଟା ଚଳାଇଛି କଂଗ୍ରେସ । ରାଜ୍ୟରେ ୯୦ ସଦସ୍ୟତା ବିଶିଷ୍ଟ ବିଧାନସଭା ଲାଗି ନିର୍ବାଚନ ଅକ୍ଟୋବର ୫ରେ ଅନୁଷ୍ଠିତ ହେବ । ଏହାର ୩ ଦିନ ପରେ ଅର୍ଥାତ ଅକ୍ଟୋବର ୮ରେ ଭୋଟ ଗଣତି ହେବା ସହ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com