Breaking NewsFeaturedରାଜନୀତି

ଆକଳନ ସତ; ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦରେ ଫ୍ରେସ୍ ଚେହେରା ବିଷ୍ଣୁଦେଓ ସାଏ

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ? ଏନେଇ ମୋବାଇଲ୍ ନ୍ୟୁଜ୍ ୨୪ ଇନଟୁ ୭ ପକ୍ଷରୁ ଆମେ କରିଥିଲୁ ଆକଳନ । ଯାହା ୪ ତାରିଖରେ ପ୍ରସାରଣ ହୋଇଥିଲା । ମୋଦି ଫର୍ମୁଲା ଅନୁସାରେ ୩ ରାଜ୍ୟରେ ବରିଷ୍ଠ ନୁହେଁ ବରଂ ଫ୍ରେସ୍ ଚେହେରା ଦେଖିବାକୁ ମିଳିବ । ଆଜି ସେହି ଆକଳନ ସତ ହୋଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏ ମନୋନୀତ ହୋଇଛନ୍ତି ।

ତେବେ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେପି ପାଇଁ ଏହା ଏହା ଏକ ବଡ଼ ଚାଲେଞ୍ଜ୍ ହୋଇଗଲା । କାରଣ ସମସ୍ତ ୩ ରାଜ୍ୟରେ ଏକାଧିକ ସିଏମ୍ ଚେହେରା ବା ଦାବିଦାର ଦେଖିବାକୁ ମିଳିଲା । ତେଣୁ ନାନା କଳ୍ପନାଜଳ୍ପନା ଲାଗିରହିଲା ଏବଂ ବିଗ୍ ସସ୍ପେନ୍ସ ଭିତରେ ଆମେ ମୋଦିଙ୍କ ଷ୍ଟ୍ରାଟେର୍ଜିକୁ ବିଚାର କରିଥିଲୁ । କାରଣ ଏହା ପୂର୍ବରୁ ହରିୟାଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଆସାମ୍‌, ଗୋଆ ଏବଂ ତ୍ରିପୁରା ଭଳି ରାଜ୍ୟରେ ମୋଦି ଫର୍ମୁଲା ହିଁ କାମ କରିଥିଲା । ସବୁଠି ଫ୍ରେଶ୍ ଚେହେରା ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଏଥର ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଫ୍ରେଶ୍ ଚେହେରା ଦେଖିବାକୁ ମିଳିବ । ଏପରିକି ୩ ରାଜ୍ୟରେ ଜଣେ ମହିଳାଙ୍କୁ ବି ସୁଯୋଗ ମିଳିବାର ସମ୍ଭାବନା ରହିଛି ଏବଂ ପଛୁଆବର୍ଗକୁ ବି ମୋଦି ଗୁରୁତ୍ୱ ଦେବେ ବୋଲି ଆମେ ବିଚାର କରିଥିଲୁ ।

ଏଠାରେ କହିରଖୁଛୁ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ରାଜ୍ୟରେ ସସ୍ପେନ୍ସ ଲାଗି ରହିବା ଭିତରେ, ବିଜେପି ପ୍ରତି ରାଜ୍ୟ ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ନିଯୁକ୍ତି କରିଲା । ସେହିକ୍ରମରେ ଛତିଶଗଡ଼ ପାଇଁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୱାଲ ଓ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ଦାୟିତ୍ୱ ମିଳିଥିଲା । ଆଉ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବାର ୨ ଦିନ ମଧ୍ୟରେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବେ ଘୋଷଣା ସରିଛି । ବିଧାୟକ ଦଳ ବୈଠକର ସର୍ବସମ୍ମତି କ୍ରମେ ବିଷ୍ଣୁଦେଓ ସାଏ ସିଏମ୍ ହୋଇଛନ୍ତି । ଆସନ୍ତୁ ସଂକ୍ଷେପରେ ନଜର ପକାଇବା ବିଷ୍ଣୁଦେଓ କିଏ?

ଛତିଶଗଡ଼ର ଯଶପୁର ଜିଲ୍ଲାରେ ୧୯୬୪ ଫେବୃଆରି ୨୧ରେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁଦେଓ । ଲୋକସଭାକୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ୫୯ ବର୍ଷୀୟ ବିଷ୍ଣୁଦେଓ କୁଙ୍କୁରି ସଂରକ୍ଷିତ ଆସନରୁ ଏଥର ବିଧାୟକ ଟିକେଟ୍‌ରେ ଲଢ଼ିଥିଲେ । ଏହି ଆସନ ଏସଟି ବା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ । ୨୦୧୮ରେ ଏହି ଆସନ ବିଜେପି ହାତରୁ ଖସି ଯାଇଥିଲା । ତେବେ ସେ ଯାହା ହେଉ ମୋଦିଙ୍କ ପ୍ରଥମ ମନ୍ତ୍ରୀ ମଣ୍ଡଳରେ ଇସ୍ପାତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବିଷ୍ଣୁଦେଇ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ବିଜେପି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆଉ ଏବେ ରମଣ ସିଂହଙ୍କ ଭଳି ବରିଷ୍ଠ ନେତାଙ୍କୁ ପଛରେ ପକାଇ ମୋଦି ଫର୍ମୁଲା ଅନୁସାରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ବନିଛନ୍ତି ବିଷ୍ଣୁଦେଓ ସାଏ । ଏହାଦ୍ୱାରା ମୋଦି ମଧ୍ୟ ପଛୁଆ କାର୍ଡ ଖେଳିଛନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଧରିଲାଣି । ଯାହା ଜଣାପଡୁଛି ଖୁବ୍‌ଶୀଘ୍ର ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ନୂଆ ସମୀକରଣ ଦେଖିବାକୁ ମିଳିବ ଏବଂ ଫ୍ରେଶ୍ ଚେହେରା ସାଙ୍ଗକୁ କେହି ମହିଳା ବି ମୁଖ୍ୟମନ୍ତ୍ରୀ ହେବାର ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com