ଜାତୀୟ

ତିରୁପତି ମନ୍ଦିରରେ ପ୍ରସାଦ ଲଡୁ ପ୍ରସଙ୍ଗରେ ନାଇଡୁଙ୍କୁ ମାଗିଲେ ରିପୋର୍ଟ: ଜେ.ପି ନଡା

ନୂଆଦିଲ୍ଲୀ: ତିରୁପତିର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା କଥା ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହାକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି ।

ତିରୁପତି ପ୍ରସାଦ ବିବାଦ ଉପରେ ସେ କହିଛନ୍ତି, ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛି । ମୁଁ ତାଙ୍କଠାରୁ ରିପୋର୍ଟ ମାଗିଛି । ଆମେ ସେଗୁଡିକର ଅନୁସନ୍ଧାନ କରିବୁ । FSSAI ଏହାର ଅନୁସନ୍ଧାନ କରିବ । ମୋଦି ସରକାରଙ୍କ ୧୦୦ ଦିନ ପୂରଣ ହେବାପରେ ତାଙ୍କ ମନ୍ତ୍ରଣାଳୟର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେବାବେଳେ ସେ ଏହି ବିବୃତ୍ତି ଦେଇଛନ୍ତି ।

ଲାବରେଟୋରି ରିପୋର୍ଟ ଅନୁଯାୟୀ ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଓ ଘୁଷୁରି ଚର୍ବି, ମାଛ ତେଲ ଏବଂ ତାଳ ତେଲ ରହିଛି । ଏହି ଖବର ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲରେ ହଇଚଇ ସୃଷ୍ଟି ହୋଇଛି । ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତିରେ ପ୍ରାଣୀ ଚର୍ବି ଓ ନିମ୍ନମାନର ଉପାଦାନ ବ୍ୟବହାର କରାଯାଉଥିଲା ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିବା ପରେ ଏହି ବିବାଦ ସାମ୍ମନାକୁ ଆସିଥିଲା ।

ଏବେ ଏନ୍‌ଡିଡିବି ସିଏଏଲ୍‌ଏଫ୍‌ ନାମକ ଏକ ଘରୋଇ ଗବେଷଣାଗାର ରିପୋର୍ଟରୁ ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ରହିଥିବା ଜଣାପଡ଼ିଥିଲା । ଏହି ଲ୍ୟାବରେ ପ୍ରାଣୀ ଖାଦ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକର ପରୀକ୍ଷା କରିଥାଏ । ତିରୁପତିର ତିରୁମାଲା ଠାରେ ଥିବା ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ଆମର ସବୁଠୁ ପବିତ୍ର ମନ୍ଦିର । ସେଠାରେ ପ୍ରସ୍ତୁତ ଲଡୁରେ ଓ୍ବାଇଏସ୍‌ଆର୍‌ସି ସରକାର ପ୍ରାଣୀ ଚର୍ବି ବ୍ୟବହାର କରୁଥିବା ଜାଣି ମର୍ମାହତ ବୋଲି ଲୋକେଶ ଏକ୍ସ’ରେ ଲେଖିଛନ୍ତି ।

ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ ଏଥିପାଇଁ ଜଗନମୋହନଙ୍କୁ ନିନ୍ଦା କରିଛନ୍ତି । ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ହିନ୍ଦୁ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତେ ଜାଣନ୍ତି । ତେବେ ତାହା ଏତେ ତଳ ସ୍ତରକୁ ଖସିଯିବ ବୋଲି କେହି ଆଶା କରିପାରିବେ ନାହିଁ । ଲଡୁରେ ଗୋରୁ ଚର୍ବି ବ୍ୟବହାର କରୁଥିବା ଲୋକମାନଙ୍କୁ ଦଣ୍ଡିତ କରାଯାଉ ବୋଲି ବଂଶଲ ଦାବି କରିଛନ୍ତି । ଲଡୁରେ ପ୍ରକୃତରେ ପ୍ରାଣୀ ଚର୍ବି ବ୍ୟବହାର ହେଉଥିଲା କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍‌. ଶର୍ମିଲା ଦାବି କରିଛନ୍ତି ।

ଏହା ଅତି ଗମ୍ଭୀର ପ୍ରସଙ୍ଗ। ଅନ୍ୟପକ୍ଷରେ ରାଜନୈତିକ ଫାଇଦା ପାଇଁ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ଯେକୌଣସି ସ୍ତରକୁ ଯାଇପାରିବେ ବୋଲି ଓ୍ବାଇଏସ୍‌ଆର୍‌ସିପିର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ଓ୍ବାଇ.ଭି. ସୁବ୍ବାରେଡ୍ଡୀ ପାଲଟା ଅଭିଯୋଗ କରିଛି। ଚନ୍ଦ୍ରବାବୁଙ୍କ ଏଭଳି ଫମ୍ପା ଅଭିଯୋଗ ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେଇଥିବା ସେ କହିଛନ୍ତି।

ସେପଟେ ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛିନ୍ତି, ତାହା ଗୁରୁତର ପ୍ରସଙ୍କ। ଏ ଉପରେ ବିସ୍ତୃତ ତଦନ୍ତ ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com