ଆତଙ୍କୀ ଅପଜଲ ଗୁରୁଙ୍କୁୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଆତିଶୀଙ୍କ ବାପାମାଆ : ସ୍ୱାତୀ ମାଲିୱାଲ
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ । ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରାୟ ଗୋଟିଏ ଦଶନ୍ଧି ପରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛନ୍ତି ଦିଲ୍ଲୀବାସୀ ।
ହେଲେ ଘରେ ନପୁଶୁଣୁ ଚାଳ ବାଜିବା ଭଳି ସମସ୍ୟା ଦେଖାଦେଲାଣି ଆମ ଆଦମୀ ପାର୍ଟିରେ । ଅର୍ଥାତ ଆତିଶୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ମୁଣ୍ଡ ଟେକିଲାଣି ବିବାଦ । ଦଳର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଓ ଆପ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ତୀବ୍ର ହୋଇଛି । ଆତିଶୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାତୀ ।
ଦଳ ଆତିଶୀଙ୍କୁ ଡମି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି ଓ ଏହା ଜାତୀୟ ରାଜଧାନୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆତିଶୀଙ୍କୁ କଟାକ୍ଷ କରିବା ପରେ ସ୍ୱାତୀ ମାଲିୱାଲ ଗୋଟିଏ ଚିଠି ଶେୟାର କରିଛନ୍ତି । ୨୦୦୧ ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ପାଇଁ ଆତିଶୀଙ୍କ ବାପା ମା’ କ୍ଷମା ଆବେଦନ ଲେଖିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, “ଦିଲ୍ଲୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ। ଏମିତି ଜଣେ ମହିଳାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଛି, ଯାହାଙ୍କ ପରିବାର ଲୋକ ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀରୁ ରକ୍ଷା କରିବା ପାଇଁ ଦୀର୍ଘ ସମୟ ଧରି ଲଢ଼େଇ କରିଥିଲେ । ତାଙ୍କ ବାପା ମା’ ଅଫଜଲ ଗୁରୁକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଥିଲେ। ତାଙ୍କ ହିସାବରେ ଅଫଜଲ ଗୁରୁ ନିଦେ୍ର୍ଦାଶ ଏବଂ ତାଙ୍କୁ ରାଜନୈତିକ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି ।
ସେପଟେ ସ୍ୱାତୀଙ୍କ ଏପରି ବୟାନକୁ ଆପ୍ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ସେ ଦଳରୁ ଇସ୍ତଫା ଦିଅନ୍ତୁ ଏବଂ ଯଦି ସେ ରାଜ୍ୟସଭାରେ ରହିବାକୁ ଚାହୁଁଛନ୍ତି, ତା’ହେଲେ ବିଜେପି ଟିକେଟ ହାସଲ କରି ପୁଣି ଥରେ ରାଜ୍ୟସଭା ଯାଆନ୍ତୁ ବୋଲି ଦାବି କରିଛନ୍ତି ଆପ୍ ନେତା ।”