ଓଡ଼ିଶା

ଭରତପୁର ଥାନା ମାମଲାର ତଦନ୍ତ କରି ୬୦ଦିନରେ ରିପୋର୍ଟ ଦାଖଲ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭରତପୁର ମାମଲା ଦିନକୁ ଦିନ ତେଜିବାରେ ଲାଗିଛି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା? ପୋଲିସ୍ ସତ କହୁଛନ୍ତି ନା ପୀଡିତା ସତ କହୁଛନ୍ତି? ପୀଡିତା ଗୁରୁତର ଆହତ କିପରି ହେଲେ? ଏମିତି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଚାରିଆଡୁ ଚାପ ପଡିବା ପରେ ସରକାର ମଧ୍ୟ ତୁରନ୍ତ ଆକ୍ସନ ନେଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଏହି ଘଟଣାରେ ପୋଲିସ୍ ହିଁ ଅଭିଯୁକ୍ତ ତେଣୁ ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟିକ ବ୍ୟବସ୍ଥା ହାତକୁ ଘଟଣାକୁ ଟେକି ଦେଇଛନ୍ତି ସରକାର ।

ଏହାରି ଭିତରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ । ସେମାନଙ୍କ ସହିତ ବାନ୍ଧବୀଙ୍କ ବାପା ଓ କିଛି ସେନା ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିସହିତ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସେପଟେ ସରକାର ଘଟଣାର ବିଚାର ବିଭାଗର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏନେଇ ସପ୍ତାହକ ମଧ୍ୟରେ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି ନ୍ୟାୟିକ ତଦନ୍ତର ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାଶ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲାର ତଦନ୍ତ ହେବ। ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ ହୋଇଛି ।

ବ୍ୟକ୍ତିବିଶେଷ ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ୱବୋଧ ତଦନ୍ତ ପରିସରଭୁକ୍ତ ହେବ। ଯଦି ଏହି ଘଟଣା ସହ ଆଉ କିଛି ଜଡ଼ିତ ଥାଏ ତେବେ କମିଶନ ତଦନ୍ତ କରିବେ । ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ ସେନେଇ ପରାମର୍ଶ ଲୋଡ଼ାଯାଇଛି ।

ଏଥିସହ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି । କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ବରରେ ରହିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି କମିଶନ ଆବଶ୍ୟକ ମଣିବେ ତେବେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com