ଓଡ଼ିଶା

କୋଟିଆ ପରେ ଏବେ ବନ୍ଧୁଗାଁ ଉପରେ ଆନ୍ଧ୍ର ନଜର

କୋରାପୁଟ, ୩୦/୦୬/୨୨- କୋରାପୁଟ  ଜିଲ୍ଲାର ମାଓ ପ୍ରବଣ ସ୍ଥାନ ରୂପେ ପରିଚିତ ବନ୍ଧୁଗାଁ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ବଞ୍ଚିତ । ଏପରିକି ସମସ୍ତ ଗ୍ରାମବାସୀ ଆନ୍ଧ୍ରର ବିଜୁଳି ଜାଳୁଥିବା ଦେଖିବାକୁ ମିଳିଛି । କାମଧନ୍ଦା ନପାଇ ଲୋକେ ବାଧ୍ୟହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯାହାର ଫାଇଦା ଆନ୍ଧ୍ର ସରକାର ନେବାକୁ ବସିଛି । କୋଟିଆ ଉପରେ ଆନ୍ଧ୍ର ପ୍ରଦେଶର ବେଆଇନ ଅନୁପ୍ରବେଶ ବିବାଦ ନ ଛିଡ଼ୁଣୁ ଏବେ ପୁଣି ଆଉ ଏକ ବିବାଦ ମୁଣ୍ଡ ଟେକିଛି । କୋଟିଆର ସବୁ ଯୋଜନା ବିଫଳ ହେଲାରୁ ଏବେ ଆନ୍ଧ୍ର ପ୍ରଦେଶର ଲୋଲୁପ ଦୃଷ୍ଟି ପଡିଛି ବନ୍ଧୁଗାଁ ବ୍ଲକ ଉପରେ । ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ବନ୍ଧୁଗାଁ ବ୍ଲକ କମ୍ଭୁଗାଣ୍ଡା ପଞ୍ଚାୟତର ଟାଙ୍କୁ, ପୁର ତୁରୁକୁ, କୋଷୁ ଓ ଜାଡବା ଗ୍ରାମରେ ଏବେ ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଧିକାରୀ ଚଳପ୍ରଚଳ କରୁଥିବା ଦେଖାଦେଇଛି । ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଘର, ଭତ୍ତା, ରାସ୍ତା, ସ୍କୁଲ, କୃଷି ଋଣ, ଜମି ନଥିବା ଲୋକଙ୍କୁ ଜମିର ସାହାଯ୍ୟ ସହ ଶିକ୍ଷିତ ପିଲାଙ୍କୁ ସରକାରୀ ଚାକିରି ଭଳି ଅନେକ ପ୍ରକାରର ପ୍ରଲୋଭନ ଦେଖାଇ ଆନ୍ଧ୍ରରେ ମିଶିବାକୁ ବାଧ୍ୟ କରାଉଥିବା ଶୁଣିବାକୁ ମିଳିଛି ।  ଅନେକ ପ୍ରକାରର ପ୍ରଲୋଭନ ଦେଖାଉଥିବା ବେଳେ ଲୋକେ ଏବେ ଆନ୍ଧ୍ର ଆଡେ ମୁହାଁଇଛନ୍ତି । ଖବର ପାଇ ବନ୍ଧୁଗାଁ ବିଡ଼ିଓ ଦେବେନ୍ଦ୍ର କୁମାର କୋଣ୍ଡାଗିରିଙ୍କ ସହ ଏକ ଟିମ ଆନ୍ଧ୍ରର ପ୍ରତ୍ୟେକ ଚାଲ୍‌କୁ ବିଫଳ କରିବା ପାଇଁ ଉକ୍ତ ଗ୍ରାମଗୁଡିକୁ ପରିଦର୍ଶନ କରିଛନ୍ତି । ବର୍ଷାହେବା ଫଳରେ ଅନ୍ୟ କୌଣସି ଗାଁକୁ ଯାଇନପାରି କେବଳ ତୁରୁକ ଗ୍ରାମର ଲୋକଙ୍କ ସହ ଆଲୋଚନା କରି ଫେରି ଆସିଛନ୍ତି । ଏସବୁ ଦୁର୍ଗମ ଅଞ୍ଚଳରେ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ପହଞ୍ଚିନି । ପ୍ରଶାସନର ଅବହେଳା ପାଇଁ କୋଟିଆ ଭଳି ଏବେ ବନ୍ଧୁଗାଁ ବ୍ଲକ ମଧ୍ୟ ହାତରୁ ଖସିଯିବାକୁ ବସିଛି । ଏବେ ଠାରୁ ଯଦି ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ନ ପଡେ ତେବେ ଆଗାମୀ ଦିନରେ କୋଟିଆ ଭଳି ବଡ଼ ସମସ୍ୟା ଛିଡା ହେବାକୁ ବେଶି ସମୟ ଲାଗିବନି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com