ଅଭିନେତା ମିଥୁନଙ୍କୁ ମିିଳିବ ଦାଦା ସାହେବ ଫାଲ୍କେ ଆୱାର୍ଡ: ଅଶ୍ବିନୀ ବୈଷ୍ଣବ
ମୁମ୍ବାଇ: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଦିଗ୍ଜ ଓ ଲୋକପ୍ରିୟ କଳାକାର ଅଟନ୍ତି । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ସମାରୋହରେ ମିଥୁନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ମିଥୁନଙ୍କ ୪୮ବର୍ଷ ଫିଲ୍ମ କ୍ୟାରିୟରରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ । ସୂଚନା ମୁତାବକ ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।
୪୮ ବର୍ଷର ସଫଳ କ୍ୟାରିଅରରେ ୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି । କୋଲକାତାର ଗଳିକନ୍ଦିରୁ ବଳିଉଡର ଡିସ୍କୋ ଡ୍ୟାନ୍ସର ହେବା ଯାଏଁ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା ।
ସିନେମାର ଉଚ୍ଚତାରେ ପହଞ୍ଚିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ‘ଦୋ ଅନଞ୍ଜାନେ’। ତା’ପରେ ସେ ୧୯୭୭ରେ ଫିଲ୍ମରେ ଲିଡ୍ ଅଭିନୟ କରିବାରେ ସୁଯୋଗ ପାଇଥିଲେ ।
ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ମୃଗୟା’। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍କୁ ଆସିଥିଲେ । ଏହି ଫିଲ୍ମଟି ବଲିଉଡରେ ବ୍ଲକବଷ୍ଟର ହିଟ୍ ହୋଇଥିଲା । ଏହି ଫିଲ୍ମଟି କେବଳ ଭାରତ ନୁହେଁ ଏସିଆ, ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ମଧ୍ୟ ପୂର୍ବ, ତୁର୍କୀ ଏବଂ ଆଫ୍ରିକାରେ ଜବରଦସ୍ତ ବ୍ୟବସାୟ କରିଥିଲା।