ଓଡ଼ିଶା

ଘନାଉଛି ଲକ୍ଷ୍ମୀ ବସ୍ ବିବାଦ; ଆସନ୍ତାକାଲି ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ତେଜିଲା ବିବାଦ । ଘରୋଇ ବସ୍ ବନ୍ଦ କରିବେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ । ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବ । ସେମାନେ ଅଭିଯୋଗ କରିଛନ୍ତି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା । ପ୍ରତିବାଦ ପରେ ବନ୍ଦ ରହିଥିଲା । ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା ।

ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା ।ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କଳାହାଣ୍ଡି ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ ରଥ କହିଛନ୍ତି, ୧୪ଟି ଜିଲ୍ଲା ଓ ୨୫ଟି ୟୁନିୟନ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ବସ ମାଲିକ ସଂଘ ।

ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକ ମାନେ ଲକ୍ଷ୍ମୀବସ ଚଳାଚଳ ଯୋଜନାକୁ ନେଇ ପୁଣି ଏକଜୁଟ୍ ହୋଇଛନ୍ତି । ସେପଟେ ଗତ ଅଗଷ୍ଟ ମାସ ବିଧାନସଭାରେ ଲକ୍ଷ୍ମୀ ବସ୍‌କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ ମନ୍ତ୍ରୀ । ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଅଛନ୍ତି ସରକାର । ୧୨ ଅକ୍ଟୋବର ୨୦୨୩ରୁ ୧୯ ଅଗଷ୍ଟ ୨୦୨୪ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର ।

ବିଧାନସଭାରେ ଏପରି ଆଖି ଖୋସିଲା ଭଳି ତଥ୍ୟ ରଖିଥିଲେ ପରିବହନ ମନ୍ତ୍ରୀ । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍ ଚାଲିଛି । ଏ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ଟଙ୍କା ।

ସରକାରୀ ତହବିଲରୁ କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇ କାହା ସ୍ୱାର୍ଥ ଲାଗି ଏହି କ୍ଷତିକୁ ସହିଥିଲେ ସେତେବେଳର ବିଜେଡି ସରକାର ବୋଲି ଉଠିଛି ପ୍ରଶ୍ନ । ବିଜେଡି ସରକାର ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ବାହାର ରାଜ୍ୟର ୮ଟି କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । ତେବେ ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଯୋଜନାର ନାଁ ବଦଳାଇ କରାଯାଇଛି, ମୁଖ୍ୟମନ୍ତ୍ରୀ ବସ୍ ସେବା । କ୍ଷତିରେ ଚାଲିଥିବା ଏହି ଯୋଜନାର ଭବିଷ୍ୟତ ରୂପରେଖ କଣ ହେବ, ତା ଉପରେ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com