ଓଡ଼ିଶା

ପୂଜାମଣ୍ଡପ ବୁଲି ମା’ଙ୍କ ଦର୍ଶନ କରି ଆଶିଷ ଲୋଡିଛନ୍ତି; ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାବାସୀଙ୍କ ଶୁଭମନାସୀ ଦୁର୍ଗା ମଣ୍ଡପ ଗୁଡିକରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମହାମାୟୀଙ୍କର ମହାନବମୀ ଅବସରରେ ରୌପ୍ୟନଗରୀ କଟକରେ ବିଭିନ୍ନ ପୂଜା ମଣ୍ଡପରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ । ସୁନା ଚାନ୍ଦିରେ ସୁସଜ୍ଜିତ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ କଟକ ମେଢ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ଏବେ ସୁଦ୍ଧା ପ୍ରତାପନଗରୀ, ବାଲିକୁଦା, ଗୋପାଳପୁର ଏବଂ କଲେଜ ଛକ ପୂଜା ମଣ୍ଡପ ମୁଖ୍ୟମନ୍ତ୍ରୀ ବୁଲି ସାରିଥିବା ବେଳେ ପାଖାପାଖି ଆଜି ୩୦ ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । କଟକ ବୁଲାବୁଲି ସାରିବା ପରେ ୩ ଦିନିଆ ଜନ୍ମମାଟି କେଉଁଝର ଯିବେ ମୁଖ୍ୟମନ୍ତ୍ରୀ । ସେଠି ପୂଜା ମଣ୍ଡପ ବୁଲି ଦେଖିବେ । ପରେ ଘରେ କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଛି ।

ତେବେ ଗତକାଲି ମଧ୍ୟ ଭୁବନେଶ୍ବର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରସୁଲଗଡ, ଲକ୍ଷ୍ମୀସାଗର, ଷ୍ଟେସନ ବଜାର, ବରମୁଣ୍ଡା, ନୟାପଲ୍ଲୀ ଇତ୍ୟାଦି ପୂଜର ମଣ୍ଡପ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ରାଇସୁଆଁରେ ଅବତରଣ କରିବା ପରେ ବାମ୍ଫାର ସାଇମନ୍ଦିର ଦୁର୍ଗାପୂଜା ମଣ୍ଡପ ଏବଂ ନିୟୁକଲୋନୀ ଦୁର୍ଗାପୂଜା ମଣ୍ଡପରେ ପୂଜା କରିବେ ।

ପରେ ଟେଲିଫୋନ୍‌ ଏକ୍ସଚେଞ୍ଜ୍ ଛକ ପୂଜା ଓ ଗୁଜୁରାଟୀ ସମାଜ ଦୁର୍ଗା ମଣ୍ଡପରେ ପୂଜା କରିବେ । ରବିବାର ନିଜ ଗ୍ରାମ ରାଇସୁଆଁ ଗସ୍ତ କରିବା ପରେ ଝୁମ୍ପୁରା ଦୁର୍ଗାପୂଜା, ସୁନାରୀପଶି, ଉଖୁଣ୍ଡା ପୂଜା ମଣ୍ଡପରେ ପହଞ୍ଚି ଦର୍ଶନ କରିବେ । ସୋମବାର ଦିନ ପଦ୍ମପୁର ଗସ୍ତକରିବା ପରେ ଅପରାହ୍ନରେ ଭୁବନେଶ୍ୱର ଫେରିଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦୁଝର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପ୍ରଥମଥର ଭାବେ ଜଣେ ମୁଖ୍ୟମନ୍ତ୍ରୀ ପୂଜାମଣ୍ଡପକୁ ଆସୁଥିବାରୁ କମିଟି କର୍ମକର୍ତ୍ତା ଉତ୍ସାହିତ ହୋଇପଡ଼ିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com