ଜାତୀୟରାଜନୀତି

ଜାମ୍ମୁ-କାଶ୍ମୀରରେ ଗଠନ ହେବନୂଆ ସରକାର: ବୁଧବାର ଓମାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପରେ ଗଠନ ହେବାକୁ ଯାଉଛି ନୂଆ ସରକାର । ସରକାର ଗଠନ ପ୍ରକ୍ରିୟାକୁ ସୁଯୋଗ ଦେବା କ୍ରମରେ ରବିବାର ଏଠାରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିନିଆଯାଇଛି । ୨୦୧୯ ଅକ୍ଟୋବର ୩୧ରୁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା ।

ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନର ଧାରା ୭୩ ଓ ସମ୍ବିଧାନର ଧାରା ୨୩୯ ଓ ୨୩୯ (ଏ) ଅନୁଯାୟୀ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନର ଧାରା ୫୪ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାର କରାଯାଇଛି । ଅକ୍ଟୋବର ୮ରେ ପ୍ରକାଶିତ ବିଧାନସଭା ନିର୍ବାଚନ ଫଳ ଅନୁଯାୟୀ ନ୍ୟାସନାଲ କନଫରେନ୍ସ (ଏନସି) ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଦାବିଦାର ହୋଇଛି । ଏନସି ନେତା ଓମାର ଅବଦୁଲ୍ଲା ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି । ଦାବି ଆଧାରରେ ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର ଓମାରଙ୍କୁ ସରକାର ଗଠନ ଲାଗି ନିମନ୍ତ୍ରଣ କରିଛନ୍ତି ।

ନିମନ୍ତ୍ରଣ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଓମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସରକାର ଗଠନ ପାଇଁ ଉପରାଜ୍ୟପାଳଙ୍କ ନିମନ୍ତ୍ରଣ ପତ୍ରକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି। ଉପରାଜ୍ୟପାଳ ତାଙ୍କ ପ୍ରମୁଖ ସଚିବଙ୍କ ମାଧ୍ୟମରେ ସରକାର ଗଠନ ନିମନ୍ତ୍ରଣ ପତ୍ର ଓମାରଙ୍କ ନିକଟକୁ ପଠାଇଥିଲେ । ୨୦୧୭ ଜୁନ୍‌ରୁ ଜାମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ଶାସନ ଜାରି ରହିଥିଲା । ମେହବୁବା ମୁଫତିଙ୍କ ନେତୃତ୍ବ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଜାମ୍ମୁ-କାଶ୍ମୀର ସରକାର ଭାଙ୍ଗି ଯାଇଥିଲା । ଫଳରେ ରାଜ୍ୟରେ କେନ୍ଦ୍ରୀୟ ଶାସନ ଜାରି ହୋଇଥିଲା । ଏହା ପରେ ୨୦୧୯​‌ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ସହ ରାଜ୍ୟକୁ ପୁନର୍ଗଠନ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com