ତାମିଲନାଡୁ ରାଜ୍ୟ ସଂଗୀତ ପାଇଁ ବଡ଼ ବିବାଦ; ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ରାଜ୍ୟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ତେବେ ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼ ବିବାଦ ଦେଖା ଦେଇଛି । ରାଜ୍ୟପାଳ ଆର୍. ଏନ୍. ରବିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ତାଙ୍କ ଇଙ୍ଗୀତରେ ଜାଣିଶୁଣି ଏପରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କ୍ଷୁବ୍ଧ ହୋଇଛନ୍ତି । ଏହି ପ୍ରସଙ୍ଗରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି ।
ଏହାରି ମଧ୍ୟରେ ଷ୍ଟାଲିନ୍ ଅଣହିନ୍ଦୁଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ ଲଦି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ରରେ ଷ୍ଟାଲିନ୍ ଲେଖିଛନ୍ତି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତିର କେନ୍ଦ୍ର ସରକାର ପୁନର୍ବିଚାର କରିବା ଉଚିତ । ଅନ୍ୟଥା ଏଭଳି ପଦକ୍ଷେପ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭାଷାଗତ ପରିଚୟକୁ ନେଇ ଉତ୍ତେଜନା ସୃଷ୍ଟି କରିବ। ଭାରତ ଏକ ଭାଷାଗତ ବିବିଧତାପୂର୍ଣ୍ଣ ଦେଶ । ଯଦି କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ତେବେ ସ୍ଥାନୀୟ ଭାଷାକୁ ମଧ୍ୟ ସମାନ ପ୍ରାଥମିକତା ଦେବା ଆବଶ୍ୟକ । ଷ୍ଟାଲିନ୍ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ଯେଉଁ ରାଜ୍ୟରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁ ଯାହାକି, ସେଠାକାର ଶାସ୍ତ୍ରୀୟ ଭାଷାକୁ ସମ୍ମାନ ଦେବା ଉଚିତ । ଏଭଳି କରାଗଲେ ସବୁ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ବୃଦ୍ଧି ପାଇବ ବୋଲି ଷ୍ଟାଲିନ୍ ଯୁକ୍ତି ବାଢ଼ିଛନ୍ତି ।
ସେହିପରି ଏଆଇଏଡିଏମ୍କେ ମୁଖ୍ୟ ଇ.କେ. ପାଲାନିସ୍ବାମୀ ମଧ୍ୟ ରାଜ୍ୟ ସଙ୍ଗୀତରୁ ପଂକ୍ତିକୁ ଛାଡ଼ିଦେବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମାଲୋଚନା କରିଛନ୍ତି । ଅନ୍ୟପଟେ କଂଗ୍ରେସ ରାଜ୍ୟପାଳଙ୍କ ଭୂମିକାକୁ ନିନ୍ଦା କରିଛି । ରାଜ୍ୟପାଳ ରବି ଷ୍ଟାଲିନ୍ଙ୍କ ପ୍ରତିକ୍ରିୟାର ଜବାବ ଦେବାକୁ ଯାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ବର୍ଣ୍ଣଭେଦି ମନ୍ତବ୍ୟ ଦେଇଛନ୍ତି । ଏହା ଏକ ଶସ୍ତା ମନ୍ତବ୍ୟ ଯାହକି ମୁଖ୍ୟମନ୍ତ୍ରୀ ଭଳି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ମର୍ଯ୍ୟାଦା ହାନି କରୁଛି । ଦୂରଦର୍ଶନ କେନ୍ଦ୍ର ଚେନ୍ନାଇ ପକ୍ଷରୁ ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ମଗାଯାଇଛି । ତାମିଲ କିମ୍ବା ରାଜ୍ୟ ସଙ୍ଗୀତ ‘ତାମିଝ ଥାଇ ଭଲ୍ଥୁ’କୁ ଅସମ୍ମାନ କରିବା କଣ୍ଠଶିଳ୍ପୀମାନଙ୍କ ଉଦ୍ଦେଶ୍ୟ ନ ଥିଲା ବୋଲି ସ୍ପଷ୍ଟୀକରଣ ଦିଆଯାଇଛି ।