ଓଡ଼ିଶା

ବାତ୍ୟା ‘ଦାନl’; ପୁରୀ ପର୍ଯ୍ୟଟକମାନଙ୍କୁ ନିଜ ଘରକୁ ଫେରିବାକୁ ପରାମର୍ଶ: ସୁରେଶ ପୂଜାରୀ

ପୁରୀ: ଓଡିଶାକୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ l ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କି ସାମୁଦ୍ରିକ ବାତ୍ୟା ‘ଦାନା’ ପୁରୀରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇପାରେ । ତେଣୁ ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁରୀ ସହରରୁ ଆସନ୍ତାକାଲିଠୁ ପର୍ଯ୍ୟଟକମାନଙ୍କୁ ନିଜ ନିଜ ଘରକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

ଏହା ସହିତ ବାତ୍ୟା ଆଶଙ୍କା ଦୂର ନହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନଯିବେ ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁମାନେ ପୁରୀରେ ରହିବେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଅନ୍ୟପଟେ ସମୁଦ୍ରକୂଳ ନିକଟରେ ରହୁଥିବା ୮୮ ସୁନାମି ପ୍ରବଣ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ୧୭୯ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପଡ଼ିଲେ ଆଖପାଖରେ ଥିବା ବିଦ୍ୟାଳୟଗୁଡିକୁ ଏଥିପାଇଁ ବ୍ୟବହାର କରାଯିବ । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି ।

ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ସମୁଦ୍ର ଭିତରେ ଫସିଥିବା ଦୁଇଟି ମାଛ ଧରା ଡଙ୍ଗା ସମେତ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟାରେ ଯେପରି କାହାର ମୃତ୍ୟୁ ନହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାର ଛଅଟି ଉପକୂଳ ବ୍ଲକ୍ ଦାୟିତ୍ବରେ ସ୍ଥାନାନ୍ତର,ଉଦ୍ଧାର, ରିଲିଫ, ଥଇଥାନ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଗ୍ନିଶମ, ପୁଲିସ, ଓଡ୍ରାଫ ଓ ଏନଡିଆରଏଫ୍ ପ୍ରସ୍ତୁତ ହୋଇ ରହିଛନ୍ତି ।

୮୫୬ ଗର୍ଭବତୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ । ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ପୂର୍ବରୁ ବାତ୍ୟା ପରିଚାଳନା ଅଭିଜ୍ଞତା ରହିଥିବା ଅଫିସରମାନଙ୍କୁ ଯଥାଶୀଘ୍ର ପୁରୀରେ ପହଞ୍ଚିବାକୁ ରାଜସ୍ବ ବିଭାଗ ନିର୍ଦେଶ ଦେଇଛି । ଜିଲା ପ୍ରଶାସନ ସମେତ ତହସିଲ ଗୁଡିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ ଖୋଲାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com