ଓଡ଼ିଶା

ବାତ୍ୟା ‘ଦାନା’ ପାଇଁ ଆକ୍ସନ ମୋଡ଼ରେ ସ୍ୱାସ୍ଥ୍ୟବିଭାଗ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଓଡିଶା ମୁହାଁ ହେଉଛି ବାତ୍ୟା ‘ଦାନା’ l ଏହାରିଭିତରେ ଉତ୍ତର ସମୁଦ୍ର କୁଳିଆ ଅଞ୍ଚଳ ମାନଙ୍କରେ ବର୍ଷା ଆରମ୍ଭ ହୋଇଗଲାଣି l ଏହି ସବୁ ବିପଦଶଙ୍କୁଳ ବାତ୍ୟା ପାଇଁ ସ୍ୱାସ୍ଥ୍ୟବିଭାଗ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଶୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାପ କାମୁଡ଼ା ଇଞ୍ଜେକ୍ସନ ସହ ସମସ୍ତ ସେବା ପାଇଁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜରୁରୀ ପରିସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚିବାକୁ କୁହାଯାଇଛି ।

ବାତ୍ୟା ସମ୍ବନ୍ଧୀୟ ଆଲର୍ଟ ପାଇଁ ମୁଖ୍ୟମନ୍ତ୍ରୀ ମନିଟରିଂ କରୁଛନ୍ତି । ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି । ସୂଚନା ମୁତାବକ ବଙ୍ଗୋପସାଗରରେ ସୃଷ୍ଟି ହୋଇ ସାରିଛି ବାତ୍ୟା ‘ଦାନା’ । ବାତ୍ୟାଟି ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି । ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ବାତ୍ୟାଟି ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।

ଆସନ୍ତାକାଲି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତା ଭିତରେ ଉପକୂଳ ଅତିକ୍ରମ କରିବ। ତେବେ ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥଳ ଏଯାଏଁ ସ୍ପଷ୍ଟ କରିନି ଆଇଏମଡି । ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ । ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏହା ପୂର୍ବରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଆସନ୍ତା ୨୫ ତାରିଖ ଯାଏ ସେମାନଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ୬ଜଣ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ୬ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଗତକାଲି ୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com