ଦୀପାବଳିରେ ବାଣ ବିକ୍ରି ଉପରେ ଆସିଲା ଗାଇଡ ଲାଇନ; କଣ ରହିଛି ନିୟମ, ଜାଣନ୍ତୁ
ଭୁବନେଶ୍ବର: ଦୀପାବଳି ପାଇଁ ଆସିଲା ଗାଇଡଲାଇନ । ବାଣ ବିକ୍ରି ଉପରେ ନିର୍ଦ୍ଦେଶନାମା ଜାରି କଲା କମିଶନରେଟ ପୋଲିସ । ସୁପ୍ରିମକୋର୍ଟର ନିୟମ ଅନୁଯାୟୀ ବାଣ ଫୁଟାଯିବ କିନ୍ତୁ ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ କରାଯାଇଛି ବାରଣ । କେବଳ ଗ୍ରୀନ କ୍ରାକର ବିକ୍ରି ଉପରେ ମିଳିଛି ଅନୁମତି । ୨୫ ଟି ସ୍ଥାନରେ ବିଏମସି ସହମତିରେ ବାଣ ବଜାର ଖୋଲଯାଇଛି । ଲାଇସେନ୍ସ ପାଇଁ ଏଯାବତ ୪୬୫ ଜଣ ଦୋକାନୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨ ଶହ ଜଣଙ୍କୁ ଲାଇସେନ୍ସ ପ୍ରଦାନ ସରିଲାଣି । ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ ।
ତେବେ ଲାଇସେନ୍ସ ମୁତାବକ ପ୍ରତ୍ୟେକ ଦୋକାନରେ ୩ ଶହ କେଜି ବାଣ ଜଣେ ଦୋକାନୀ ରଖିପାରିବେ । ଦୁଇଟି ବାଣ ଦୋକାନ ମଝିରେ ୩ ମିଟର ବ୍ୟବଧାନ ରହିବ । ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ । ଦୋକାନ ଚାରିପଟରେ ଟିଣର ଆବଧ କରାଯିବା ସହ ନିଆଁ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଓ ଭର୍ତି ଡ୍ରମ ରଖାଯିବ ଓ ପୁଲିସର ସ୍ୱତନ୍ତ୍ର ଟିମ ଏହା ଉପରେ ନଜର ରଖିବେ ଓ ଅଗ୍ନିଶମ ବିଭାଗ ଓ ବିଏମସି ର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ । କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏଭଳି କଡା ନିଦେ୍ର୍ଦଶନାମା ଜାରି କରିଛି ପୋଲିସ ।