ପୁରୀ ସ୍ୱର୍ଗଦ୍ୱାର: ଏଣିକି କାଠ ବଦଳରେ ଗୋବର ଘଷିରେ ହେବ ଶବଦାହ
ପୁରୀ: ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ଏନେଇ ଯୋଜନା ପ୍ରସ୍ତୁତ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ହିନ୍ଦୁ ଶାସ୍ତ୍ର ଅନୁସାରେ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ । ଏନେଇ ସ୍ୱର୍ଗଦ୍ୱାର କମିଟି ସହ ଆଲୋଚନା ଚାଲିଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା ମଧ୍ୟ କରାଯିବ।
ପରେ ଏନେଇ ଖୁବଶୀଘ୍ର ପଦକ୍ଷେପ ସରକାର ନେବେ ବୋଲି ସେ କହିଛନ୍ତି । ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଅପରପକ୍ଷରେ ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ ବ୍ୟବହାର କରିବାକୁ ଚିନ୍ତା କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ। ହିନ୍ଦୁ ଧାର୍ମିକ ପ୍ରଥା ଅନୁଯାୟୀ ଏହା ‘ମୋକ୍ଷ’ ପ୍ରାପ୍ତିରେ ମଧ୍ୟ ସହାୟକ ହୋଇପାରେ । ତେବେ ଏହା କାଠ ତୁଳନାରେ ପରିବେଶ ଉପରେ କମ୍ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ଏହି କମିଟି ଗୋ ସୁରକ୍ଷା ଓ ଗୋମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ କରିବ । ତେବେ ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି ।