୩୦ ବିମାନକୁ ବୋମା ଧମକ ଦେଇଥିବା ବ୍ୟକ୍ତି ଗିରଫ
ନୂଆଦିଲ୍ଲୀ: ବିଗତ ଦୁଇ ସପ୍ତାହ ଧରି ଭାରତର ବିଭିନ୍ନ ଏୟାରଲାଇନ୍ସ ବିମାନକୁ ବୋମା ଧମକ ମିଳିବାରେ ଲାଗିଛି । ଏହାକୁ ନେଇ ସଂପୃକ୍ତ ଏୟାରଲାଇନ୍ସ, ଯାତ୍ରୀ ଓ ସରକାର ବିବ୍ରତ ହୋଇପଡୁଥିବାବେଳେ ଅଭିଯୁକ୍ତକୁ ଧରିବା ଏକପ୍ରକାର କଷ୍ଟକର ହୋଇପଡିଛି। ଅବଶ୍ୟ ଇତିମଧ୍ୟରେ ଦୁଇଜଣଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ସେମାନେ କେବଳ ଗୋଟିଏ ଲେଖାଏଁ ବିମାନକୁ ବୋମା ଧମକ ଦେଇଥିବା ସ୍ବୀକାର କରିଛନ୍ତି ।
ତେବେ ମହାରାଷ୍ଟ୍ର ପୁଲିସ ଗୁରୁବାର ନାଗପୁରରୁ ଜଣେ ବ୍ୟକ୍ତିକୁ ଗିରଫ କରିଥିବାବେଳେ ସେ ୩୦ଟି ବିମାନକୁ ବୋମା ଧମକ ଦେଇଥିବା ପ୍ରାଥମିକ ଅନୁୁସନ୍ଧାନରୁ ଜଣାପଡିଛି । ଅକ୍ଟୋବର ୨୫ରୁ ୩୦ ମଧ୍ୟରେ ଶ୍ରୀରାମ ଉଇକି ନାମକ ଏହି ବ୍ୟକ୍ତିଜଣକ ୩୦ଟି ବିମାନକୁ ବୋମା ଧମକ ଦେଇଥିବା ସ୍ବୀକାର କରିଛି । କେବଳ ବିମାନ ନୁହେଁ ଅଭିଯୁକ୍ତ ଜଣକ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଧମକ ଦେଇଥିବା ଜଣାପଡିଛି ।
ଅକ୍ଟୋବର ୨୧ରେ ଶ୍ରୀରାମ ପଠାଇଥିବା ଇ-ମେଲ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି ଯେ ଆତଙ୍କବାଦୀମାନେ ୬ଟି ବିମାନବନ୍ଦରକୁ ବୋମା ଜରିଆରେ ଉଡାଇବାଦେବାକୁ ଏବଂ ବିଭିନ୍ନ ଏୟାରଲାଇନ୍ସର ୩୧ଟି ବିମାନକୁ ଉଡାଇ ଦେବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି । ଗୁରୁବାର କେରଳ ପୁଲିସ ଏହି ପ୍ରସଙ୍ଗରେ ପାଲାକାଡ୍ ଜିଲାରୁ ମହମ୍ମଦ ଇଜାଜ୍ ନାମକ ଜଣେ ୨୬ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି । ଆବୁଧାବି ଯାତ୍ରା କରୁୁଥିବା ଏୟାର ଆରବିୟାନ୍ ଏୟାରଲାଇନ୍ସର ଏକ ବିମାନକୁ ଇଜାଜ୍ ବୋମା ଧମକ ଦେଇଥିବା ଅଭିଯୋଗ ହୋଇଛି ।