ନୂଆଦିଲ୍ଲୀ: ‘ଆସନ୍ତା ୧୦ ଦିନ ଭିତରେ ଇସ୍ତଫା ଦିଅ, ନଚେତ ବାବା ସିଦ୍ଦିକିଙ୍କ ପରି ଅବସ୍ଥା ତୁମର ବି ହେବ ।’ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଏପରି ହତ୍ୟା ଧମକ । ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍କୁ ଆସିଛି ଏପରି ଧମକପୂର୍ଣ୍ଣ ମେସେଜ । ଏହାକୁ ନେଇ ତନାଘନା ଆରମ୍ଭ କରିଛି ପୁଲିସ୍ । ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍କୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି । ଏହାପରେ ପୁଲିସ୍ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ କରିଛି ।
ତେବେ ଏପରି ମେସେଜ କିଏ ଦେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିବା ଜଣାଯାଇଛି । ଏହାର ତଦନ୍ତ ଆରମ୍ଭ ହୋଇଥିବା ମୁମ୍ବାଇ ପୁଣି ଥାନେରୁ ଫାତିମା ଖାନ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି । ତାଙ୍କ ଫୋନ ନମ୍ବରରୁ ଆଦିତ୍ୟନାଥଙ୍କୁ ଧମକ ମିଳିଥିଲା। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଫାତିମା ବେଶ ଉଚ୍ଚ ଶିକ୍ଷିତା । ହେଲେ ସେ ମାନସିକ ରୋଗରେ ପୀଡ଼ିତ । ଫାତିମା ସୂଚନା ପ୍ରଯୁକ୍ତି ବିଦ୍ୟାରେ ବିଏସସି ଡିଗ୍ରୀ ହାସଲ କରିଛନ୍ତି । ଥାନେରେ ସେ ପରିବାର ଲୋକଙ୍କ ସହ ରୁହନ୍ତି । ତାଙ୍କ ବାପା କାଠ ବ୍ୟବସାୟ କରି ପରିବାର ଚଳାନ୍ତି। ଏବେ ପୁଲିସ୍ ଫାତିମାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ।
ପୂର୍ବ ସୂଚନା ମୁତାବକ , କିଛି ଦିନ ପୂର୍ବେ ମହାରାଷ୍ଟ୍ର ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ପୁଅଙ୍କ ଅଫିସ ସମ୍ମୁଖରେ ତାଙ୍କ ଉପରକୁ ଫାୟାରିଂ କରାଯାଇଥିଲା। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରଠୁ ବାବା ସିଦ୍ଦିକିଙ୍କ ପରି ଅବସ୍ଥା କରିଦେବୁ କହି ଦେଇ ବଡ଼ ବଡ଼ ନେତା ଓ ସେଲିବ୍ରେଟିମାନଙ୍କୁ ଧମକ ମିଳିବାରେ ଲାଗିଛି। ପୂର୍ବରୁ ସଲମାନ ଖାନ ଓ ସାଂସଦ ପପୁ ଯାଦବଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ଯୋଗୀଙ୍କ ଉଦ୍ଦେଶ୍ୟରେ ଧମକ ମିଳିଥିଲା ।