ଓଡ଼ିଶା

ଚାଷୀଙ୍କ ପାଇଁ ଖୁସି ଖବର: ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା, କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା

ଭୁବନେଶ୍ବର: ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବ । ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଏନେଇ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ । ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ । ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ । ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ । ସେପଟେ ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l

ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ତା ପ୍ରତି ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯିବ । ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ତ୍ୱରିତ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ସୁରକ୍ଷା ,କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com