ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ । ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ବିଭିନ୍ନ ପର୍ବ କାରଣରୁ କେରଳ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ ତାରିଖ ନଭେମ୍ବର ୧୩ରୁ ନଭେମ୍ବର ୨୦କୁ ପରିବର୍ତ୍ତନ ହୋଇଛି । ଫଳାଫଳ ୨୩ ନଭେମ୍ବରରେ ଆସିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ କଂଗ୍ରେସ, ବିଜେପି, ବିଏସପି, ଆରଏଲଡି ଏବଂ ଅନ୍ୟାନ୍ୟ ଜାତୀୟ ତଥା ରାଜ୍ୟସ୍ତରୀୟ ଦଳଙ୍କ ଅନୁରୋଧ କ୍ରମେ କମ ମତଦାନ ସମ୍ଭାବନାକୁ ଏଡ଼ାଇବା ପାଇଁ ନିର୍ବାଚନ ଆୟୋଗ କେରଳ, ପଞ୍ଜାବ ଏବଂ ତିନୋଟି ରାଜ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ ସ୍ଥିର କରିଛନ୍ତି । ପ୍ରକାଶ ପର୍ବ ଏବଂ ତୁଳସୀ ବିବାହ ପରି ପର୍ବ କାରଣରୁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି । କେରଳର ପଲକ୍କଡ, ପଞ୍ଜାବର ଡେରା ବାବା ନାନକ, ଚାବୱାଲ, ଗିଦରବାହା ଏବଂ ବର୍ଣ୍ଣଲା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି । ଏହା ସହିତ ଉତ୍ତରପ୍ରଦେଶର ମିରାପୁର, କୁଣ୍ଡାର୍କି, ଗାଜିଆବାଦ, ଖୈର, କରହଲ, ସିସାମାଉ, ଫୁଲପୁର, କଟେହରୀ ଏବଂ ମଜଗୱାନରେ ମତଦାନ ତାରିଖ ପରିବର୍ତ୍ତନ କରାଯାଇଛି ।