ଓଡ଼ିଶା

ରାଜଧାନୀରେ ଗଡିବ ମେଟ୍ରୋ: ଚାଲିଛି ମାଟି ପରୀକ୍ଷା, ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ଦୁଇ ବର୍ଷ ପରେ ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସାରିବାକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା ବେଳେ ଏହାପରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥପନା ହେବ ବୋଲି ସେ କହିଛନ୍ତି । ଏଥିସହିତ ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସୂଚନା ଦେଇ ସେ ଆହୁରି କହିଛନ୍ତି, ଭୂମି ଠାରୁ ୧୩ ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍‌ ଯିବ ।

ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ଉଚ୍ଚତା ଅଧିକ ରହିବ ବୋଲି ସେ କହିଛନ୍ତି । ଏଥିସହିତ ପ୍ରତି ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ୍‌ ଚାଲିବ । ପ୍ରାଥମିକ ସ୍ତରରେ ୩ କୋଚ୍‌ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା କରାଯାଇଛି । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି । ୫୦-୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ହେଉଥିବା ବେଳେ ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।

ଏଥିସହିତ ଏବେ ଏୟାରପୋର୍ଟ ମାର୍ଗ ଠାରୁ ପଟିଆ ଦେଇ ବିଭିନ୍ନ ସ୍ଥାନରେ ମାଟି ଖୋଲାଯାଇ ମାର୍କିଂ ହୋଇଥିବା ବେଳେ ମାଟି ପରୀକ୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ତିଆରି ଚାଲିଛି। ଏଠାରେ ମେଟ୍ରୋ ରେଳ ଲାଇନ୍‌ ପାଇଁ ତିଆରି ହେବ କାଷ୍ଟିଂ ଉପକରଣ। ସେହିପରି ତ୍ରିଶୁଳିଆ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନ୍ସ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ବୋଲି ମେଟ୍ରୋ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com