ନୂଆଦିଲ୍ଲୀ: ହଜିଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା । ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍ । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି । ପୋଲିସ ଅଧିକାରୀଙ୍କୁ ମିଳିଛି ସୋକଜ୍ ନୋଟିସ ! ସିଙ୍ଗଡା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ବେଳେ ସିଏମଙ୍କ ଷ୍ଟାଫଙ୍କୁ ପରଷା ଯାଇଥିବା ତଦନ୍ତରୁ ଜଣାପଡିଛି । ଏଭଳି ଏକ ରୋଚକ ଘଟଣାକୁ ନେଇ ଏବେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଚହଳ ସୃଷ୍ଟି ହୋଇଛି ।
ଗତ ୨୧ ତାରିଖରେ ସିମଲା ସ୍ଥିତ ସିଆଇଡି ହେଡକ୍ୱାର୍ଟର୍ସ ପରିଦର୍ଶନ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଜଳଖିଆ ପାଇଁ ସିଙ୍ଗଡ଼ା, କେକ୍ ଆଦି ସ୍ନାକ୍ସ ମଗାଯାଇଥିଲା । ହେଲେ ଭୁଲରେ ମୁଖ୍ୟମନ୍ତ୍ରୀଙ୍କ ଜାଗାରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ପରସା ଯାଇଥିଲା । ତେଣୁ ସିଏମ ସୁଖୁଙ୍କ ପ୍ଲେଟରୁ ଏସବୁ ସ୍ନାକ୍ସ ଗାଏବ ହେବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏହା ପରେ ପୂରା ମାମଲାକୁ ନେଇ ତଦନ୍ତ କରିଛି ସିଆଇଡି । ଏହା ସରକାର ବିରୋଧୀ କାର୍ୟ୍ୟ ବୋଲି ଦର୍ଶାଇଥିବା ସୂଚନା ମିଳିଛି । ତଦନ୍ତରେ କେଉଁ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡା ଗାଏବ ହେଲା ସେନେଇ ଜଣାପଡିଛି ।
ଯାଞ୍ଚ ରିପୋର୍ଟ ଅନୁସାରେ, କାର୍ୟ୍ୟକ୍ରମକୁ ନେଇ ଆଇଜି ରାଙ୍କର ଜଣେ ଅଧିକାରୀ ଜଣେ ସବଇନ୍ସପେକ୍ଟରଙ୍କୁ କିଛି ସ୍ନାକ୍ସ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ସବଇନ୍ସପେକ୍ଟର ଜଣେ ଏଏସଆଇ ଓ ହେଡ୍ କନଷ୍ଟେବଳଙ୍କୁ ଟିଫିନ ଆଣିବାକୁ ପଠାଇଲେ । ସେମାନେ ତିନିଟି ଡବାରେ ଖାଦ୍ୟ ଆଣି ଜଣେ ଇନ୍ସପେକ୍ଟର ରାଙ୍କର ମହିଳା ଅଧିକାରୀଙ୍କୁ ଦେଲେ । ଏହାପରେ ମହିଳା ଅଧିକାରୀ ସେ ଖାଦ୍ୟ ସାମଗ୍ରୀକୁ ଅନ୍ୟ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ରୁମରେ ରଖିବାକୁ କହିଲେ ।
ପରେ ଡ୍ୟୁଟିରେ ନିୟୋଜିତ ପର୍ୟ୍ୟଟନ ବିଭାଗ ଅଧିକାରୀ ଡବାରେ ଥିବା ଖାଦ୍ୟ ତାଙ୍କ ଷ୍ଟାଫଙ୍କୁ ଦେବାକୁ କହିଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ହଜିବା ଘଟଣାର ସିଆଇଡି ତଦନ୍ତକୁ ନେଇ ଶାସକ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ସରକାରଙ୍କୁ ରାଜ୍ୟ ବିକାଶ ଚିନ୍ତା ନାହିଁ, କେବଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା କୁଆଡେ ଗଲା, ସେଇ ଚିନ୍ତା ବୋଲି ବିଜେପି କହିଛି । ଅନ୍ୟପଟେ ସିଙ୍ଗଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ସିଆଇଡି । ଏହା ସଂପୂର୍ଣ୍ଣ ଭାବେ ସିଆଇଡିର ଅନ୍ତରୀଣ ମାମଲା । ଏହାକୁ ବଢେଇ ଚଢେଇ ଉପସ୍ଥାପନ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛି ।