ପଞ୍ଚକ ପାଇଁ ଆକାଶ ଛୁଆଁ ହୋଇଛି ପରିବା ଦରଦାମ; ଗ୍ରାହକ ହନ୍ତସନ୍ତ
ଭୁବନେଶ୍ବର: କାର୍ତ୍ତିକ ମାସରେ ପଞ୍ଚୁକବ୍ରତ ଆଜିଠାରୁ ଆରମ୍ଭ ହୋଇଛି l ସେପଟେ ବଜାରରେ ପଞ୍ଚକ ପାଇଁ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ମଧ୍ୟ ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ଭଳି ଦରଦାମ ବଢ଼ାଇଛନ୍ତି ଦୋକାନୀ l ଫଳରେ ଇଚ୍ଛା ଥିଲେ ମଧ୍ୟ ମୁହଁ ଫେରେଇ ଆଣୁଛନ୍ତି ଗ୍ରାହକ । ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏବେ ବିଭିନ୍ନ ପ୍ରକାରର ପରିବା ମିଳୁଛି ।
ହେଲେ ସବୁ ପରିବାରର ଦର ପାଖାପାଖି ୧୦୦ ଟଙ୍କା ଏବଂ କିଛି ପରିବାର ଦର ୧୦୦ଟଙ୍କା ଉପରେ ରହିଛି । ଲୋକେ ପରିବା ଦର ଶୁଣି ୧ କେଜି ବଦଳରେ କେବଳ ନିହାତି ଆବଶ୍ୟକ ହେଉଥିବାରୁ ୨୫୦ଗ୍ରାମ କିମ୍ବା ଅଧା କେଜି ପରିବା ନେଇକି ଘରକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ନମ୍ବର ମାର୍କେଟ୍ ରେ ବର୍ତ୍ତମାନ କାଙ୍କଡ ଦର ୧୦୦ରୁ ଉର୍ଦ୍ଧ୍ବ ଟଙ୍କା ଥିବାବେଳେ, ବାଇଗଣ ୬୦ ଟଙ୍କା ରହିଛି l
ସେହିପରି ପୋଟଳ ୬୦ ରୁ୮୦, ବିନ୍ ଛୁଇଁ ୮୦, ଫୁଲ କୋବି ଗୋଟା ୬୦, ଟମାଟୁ ୪୦, ସାରୁ ୬୦ରୁ ଟଙ୍କା ଉପରେ । କଦଳୀ ଗୋଟା ୧୦ ରୁ ୧୫ ଟଙ୍କା ଉପରେ ରହିଛି । ଏହି ସାଧାରଣ ଘରୋଇ ପନିପରିବା ଗୁଡିକର ଆକାଶଛୁଆଁ ମୂଲ୍ୟରେ ଗ୍ରାହକମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି । ଅନ୍ୟପଟେ ଯେଉଁମାନଙ୍କର ଆୟ କମ୍ ଏବଂ ମଧ୍ୟବିତ୍ତ ପରିବାର ପନିପରିବା ଦର ବୃଦ୍ଧି ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି ।