ପୁରୀ: ଆଜିଠୁ ଆରମ୍ଭ ରତ୍ନଭଣ୍ଡାର ମରାମତି କାମ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ମରାମତି ପାଇଁ ଭାରା ବାନ୍ଧିବା ଠୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମ ଗୁଡ଼ିକର ବ୍ୟବସ୍ଥା କରିଛି ଏଏସଆଇ । ସୂଚନା ମୁତାବକ ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହା ପରେ ଆବଶ୍ୟକ ମରାମତି କରାଯିବ । ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ। ତିନି ମାସ ଭିତରେ ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଛି। ତେବେ ଶ୍ରୀମନ୍ଦିର ଛତିଶାନିଯୋଗ ନିଷ୍ପତ୍ତି ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଶେଷ ଓ ଭୋଗ ବାହାରିବା ପରେ ପରବର୍ତ୍ତୀ ନୀତିକାନ୍ତି ବନ୍ଦ ରହିବ। ଏହା ପରେ ଏଏସଆଇର ବୈଷୟିକ ଦଳ ମରାମତି ପାଇଁ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ୧ଟା ଭିତରେ ଏଏସଆଇ ବୈଷୟିକ ଦଳ ପ୍ରବେଶ କରିବେ।