ବବି ଦାସଙ୍କ କ୍ୟାରିଅର ବର୍ବାଦ କରିଦେଲେ ପାଣ୍ଡିଆନ !
ଭୁବନରେଶ୍ୱର :ପୁଣି ନବୀନଙ୍କ ଚିନ୍ତା ବଢ଼ାଇଲେ ଦଳୀୟ ନେତା । ପୁଣିଥରେ ଦଳ ବିରୁଦ୍ଧରେ ମୁହଁ ଖୋଲିଲେଣି ପୁରୁଖା ନେତା । ମହେଶଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ଭୂପିନ୍ଦର । ସେ କହିଛନ୍ତି ବିଜେଡି ସଂଗଠନ ସମ୍ପାଦକ ଦାୟିତ୍ୱ ସମ୍ଭାଳୁଥିଲେ ପ୍ରଣବ ପ୍ରକାଶ ଦାସ । ଟିକେଟ୍ ବଣ୍ଟନରେ ନବୀନ ଓ ପ୍ରଣବଙ୍କ ଭୂମିକା ଥିବା ପ୍ରାୟ ସମସ୍ତେ ଜାଣୁଥିଲେ । ହେଲେ ଏବେ ଖୋଦ୍ ବବିଙ୍କ ସମ୍ବଲପୁରର ଟିକେଟ୍କୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କଲେଣି ଦଳୀୟ ନେତା । ନିର୍ବାଚନରେ ଟିକେଟ୍ ବଣ୍ଟନକୁ ନେଇ ଭୁଲ୍ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି, ବରିଷ୍ଠ ବିଜେଡି ନେତା ମହେଶ ସାହୁ, ଆଉ ତାଙ୍କ ଏହି କଥାକୁ ଭୂପିନ୍ଦର ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି ।
ମହେଶ ଓ ଭୂପିନ୍ଦରଙ୍କ ଏହି ପ୍ରତିକ୍ରିୟା ପରେ ବିଜେଡି ଶିବିର ଏବେ ବେଶ୍ ସରଗରମ ହୋଇପଡିଛି । ଘଟଣାକୁ ନେଇ ଏବେ ଜଣକ ପରେ ଜଣେ ନେତା ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି । ଆଉ ଏଠି ପ୍ରଶ୍ନ ଉଠୁଛି, ବିଜେଡିରେ ଟିକେଟ ବାଣ୍ଟୁଥିଲ କିଏ ? ସୁପ୍ରିମୋ ନବୀନ ନା ଆଉ କିଏ ? ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ୨୪ ନିର୍ବାଚନରେ ନବୀନଙ୍କ ଆଢୁଆଳରେ ସବୁ ନିଷ୍ପତ୍ତି ନେଉଥିଲେ ପାଣ୍ଡିଆନ । ତେଣୁ ଭୁଲ ଟିକେଟ ବଣ୍ଟନ ପଛରେ ପାଣ୍ଡିଆନଙ୍କୁ ପରୋକ୍ଷରେ ନିଶାନା କରିଛନ୍ତି ନେତା । ଯଦି ପାଣ୍ଡିଆନ୍ ଏପରି କରିଥା’ନ୍ତି ତେବେ ଏହା ପଛର ଉଦ୍ଦେଶ୍ୟ କ’ଣ ଥାଇପାରେ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଲାଣି । ନିର୍ବାଚନରେ କିଏ କେଉଁଠୁ ଲଢ଼ିବ ଯଦି ପାଣ୍ଡିଆନ ସବୁ ନିଷ୍ପତ୍ତି ନେଉଥିଲେ ତେବେ ତାଙ୍କ ଆନୁଗତ୍ୟ ବବି ଦାସଙ୍କୁ କାହିଁକି ଯାଜପୁରରୁ ଟିକେଟ ନ ଦେଇ ସମ୍ବଲପୁରରୁ ଟିକେଟ ଦେଇଥିଲେ । ବାସ୍ତବରେ କଣ ବବି ଦାସଙ୍କୁ ହରାଇବା ପାଇଁ ତାଙ୍କୁ ଜାଣିଶୁଣି ସମ୍ବଲପୁରରୁ ଟିକେଟ ଦେଇଥିଲେ ପାଣ୍ଡିଆନ । ଉପରେ ଉପରେ ଭଲେଇ ହୋଇ ଭିତରୁ ବବି ଦାସଙ୍କ ଚେର କାଟିବା ପାଇଁ ମାଷ୍ଟର ପ୍ଲାନ କରିଥିଲେ ପାଣ୍ଡିଆନ । ତେବେ ଏଠି ଆଉ ଏକ ପ୍ରଶ୍ନ ସୃଷ୍ଟି ହୋଇଛି ଯେ ପାଣ୍ଡିଆନଙ୍କ ଏହି ପ୍ଲାନ ବିଷୟରେ କଣ ଆଗରୁ ଜାଣିଥିଲେ ନବୀନ । ଜାଣିଶୁଣି ପାଣ୍ଡିଆନଙ୍କ ନିଷ୍ପତ୍ତିରେ କଣ ମୋହର ମାରିଥିଲେ ନବୀନ । ବବି ଦାସଙ୍କ ହାରିବା ପଛରେ ପାଣ୍ଡିଆନ ଯେତିକି ଦାୟୀ ନୁହନ୍ତି ତାଠାରୁ ବହୁ ଗୁଣାରେ ନବୀନ ଦାୟୀ ବୋଲି ଏବେ ଚର୍ଚ୍ଚା ହେଉଛି ।
ପୂର୍ବରୁ ବିଜେଡିର ବରିଷ୍ଠ ନେତା ମହେଶ ସାହୁ ଦଳୀୟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସିଧାସଳଖ କହିଥିଲେ ସମ୍ବଲପୁରରୁ ବବି ଦାସ ଲଢ଼ିବା ଭୁଲ ନିଷ୍ପତ୍ତି ଥିଲା । ବବି ଯାଜପୁରରୁ ଲଢ଼ିଥିଲେ ଆଉ ୧୦ରୁ ୧୨ ଅଧିକ ବିଧାୟକ ଜିତିଥାନ୍ତେ ଏବଂ ଦଳ ସରକାର ଗଢ଼ିଥାନ୍ତା । ଏଭଳି କହି ଦଳର ପରାଜୟ ପଛରେ ଭୁଲ ଷ୍ଟ୍ରାଟେଜି ଥିଲା ବୋଲି ଇଙ୍ଗିତ କରିଥିଲେ ।