
ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ – ୨୦୨୫ । କିନ୍ତୁ ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କୁ ଲାଗିଲା ଝଟକା । ଏଣିକି ଆଉ ମାଗଣାରେ ମୋବାଇଲ୍ରେ ଦେଖିବାକୁ ମିଳିବନି ଲାଇଭ୍ ମ୍ୟାଚ୍ । ଜିଓ ଓ ଷ୍ଟାର ଇଣ୍ଡିଆର ମିଶ୍ରଣ ପରେ ତିଆରି ହୋଇଛି ନୂଆ ପ୍ଲାଟଫର୍ମ- ଜିଓହଟଷ୍ଟାର । ଯେଉଁଛିରେ ଜିଓସିନେମା ଓ ଡିଜ୍ଜନୀ+ହଟଷ୍ଟାର ମିଶି ଜିଓହଟଷ୍ଟାର ହୋଇଛି । ଏହା ଶୁକ୍ରବାର ଲଞ୍ଚ୍ ହୋଇଛି ।
ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଓ ୱାଲ୍ଟ ଡିଜନୀର ୮.୫ ବିଲିୟନ୍ ଡଲାର ମୂଲ୍ୟରେ ମିଶ୍ରଣ ଏହି ନିଷ୍ପତ୍ତି ଆସିଛି । ରୟଟର୍ସ ରିପୋର୍ଟ ଅନୁସାରେ, ଆଇପିଏଲ୍ର ମାତ୍ର କିଛି ମିନିଟ୍ ମାଗଣାରେ ଦେଖିବାକୁ ମିଳିବ । ପୂରା ମ୍ୟାଚ୍ ଦେଖିବା ଲାଗି ନେବାକୁ ପଡ଼ିବ ସବସ୍କ୍ରିପସନ୍ । ଆଉ ଜିଓହଟଷ୍ଟାରର ପ୍ରାରମ୍ଭିକ ସବସ୍କ୍ରିପସନ୍ ୧୪୯ ଟଙ୍କାରୁ ଆରମ୍ଭ ହେବ । ସବସ୍କ୍ରିପସନ୍ ବେସିକ୍ ପ୍ଲାନ୍ ୧୪୯ ଟଙ୍କା ରହିବ । ବିଜ୍ଞାପନ ମୁକ୍ତ ୩ ମାସର ପ୍ଲାନ୍ ପାଇଁ ୪୯୯ ଟଙ୍କା ଦେବାକୁ ପଡ଼ିବ । ଜିଓହଟଷ୍ଟାରରେ ଆଇସିସି ଇଭେଣ୍ଟସ୍ ସହ ଆଇପିଏଲ୍, ଡବ୍ଲୁପିଏଲ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିବ । କ୍ରିକେଟ୍ ସହ ପ୍ରୋ କବାଡ଼ି ଓ ଆଇଏସ୍ଏଲ୍ ଭଳି ଘରୋଇ ଲିଗ୍ର ମଜ୍ଜା ବି ନେଇ ପାରିବେ । ପୂର୍ବରୁ ଜିଓସିନେମା ସମ୍ପୂର୍ଣ୍ଣ ମାଗଣାରେ ଆଇପିଏଲ୍ ଷ୍ଟ୍ରିମିଂ କରୁଥିଲା । କିନ୍ତୁ ଏବେ ଦେଖିବା ପାଇଁ ସବସ୍କ୍ରିପସନ୍ ନେବାକୁ ପଡିବ । ୨୦୨୩ରେ ଜିଓ ୩ ବିଲିୟନ୍ ଡଲାର ମୂଲ୍ୟରେ ୫ ବର୍ଷ ଲାଗି ଆଇପିଏଲ୍ ରାଇଟ୍ସ ହାତେଇଥିଲା । ଏବେ ପୂରା ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଟଙ୍କା ଦେବାକୁ ପଡ଼ିବ ।