କଟକରେ ଅଛନ୍ତି ସର୍ବାଧିକ ଭିକାରୀ

ଭୁବନେଶ୍ୱର : ସାଧାରଣତଃ ସମାଜରେ ବଞ୍ଚିବାକୁ ହେଲେ ଖାଦ୍ୟ ,ବସ୍ତ୍ର ,ବାସଗୃହ ଭଳି ମୌଳିକ ଆବଶ୍ୟକତା ରହିଛି। ଆଉ ଯିଏ ଏହିସବୁ ମୌଳିକ ଅବସ୍ଥାରୁ ବଞ୍ଚିତ ହୋଇଥାନ୍ତି ସମାଜରେ ସେମାନଙ୍କୁ ଭିକାରୀର ଆଖ୍ୟା ଦିଆଯାଇଥାଏ । ଆଉ ରାଜ୍ୟରେ ଏଭଳି ଦୟନୀୟ ସ୍ଥିତିରେ ବଞ୍ଚୁଛନ୍ତି ପ୍ରାୟ ୫ ହଜାର ୨୮୪ ଜଣ । ଆଜି ବିଧାନସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍ଗ ପ୍ରଶ୍ନରେ ରାଜ୍ୟରେ କେତେ ଭିକାରୀ ଅଛନ୍ତି, ସେମାନଙ୍କ ଲାଗି ସରକାରଙ୍କ ପକ୍ଷରୁ କଣ ଯୋଜନା କରାଯାଉଛି ବୋଲି ପ୍ରଶ୍ନ କରିଥିବା ବେଳେ ଏ ନେଇ ତଥ୍ୟ ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ୫ ହଜାର ୨୮୪ ଜଣ ଭିକାରୀ ଅଛନ୍ତି । ରାଜ୍ୟର ୩୦ ଜିଲ୍ଲାରୁ ୫ ଜିଲ୍ଲା ବାଲେଶ୍ଵର, ବୌଦ୍ଧ, ଦେବଗଡ଼, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ଜଣେ ବି ଭିକାରୀ ନଥିବା ବେଳେ କଟକରେ ସର୍ବାଧିକ ୧୦୬୦ ଜଣ ଭିକ୍ଷୁକ ଅଛନ୍ତି । ଭିକାରୀମାନଙ୍କୁ ସ୍ଵାବଲମ୍ବୀ କରି ରାଜ୍ୟକୁ ଭିକାରୀମୁକ୍ତ କରିବା ଲାଗି ବିଭାଗ ପକ୍ଷରୁ ‘ସହାୟ’ ଯୋଜନା ୨୦୧୭-୧୮ରୁ କାର୍ଯ୍ୟକାରୀ ହେଉଛି । ଏଥିରେ ଭିକାରୀଙ୍କୁ ଥଇଥାନ ସହ ଭିକ୍ଷାବୃତ୍ତିରୁ ନିବୃତ୍ତ ଲାଗି ନିଆଯାଉଛି ପଦକ୍ଷେପ । ଭିକ୍ଷୁକଙ୍କୁ ଚିହ୍ନଟ ସହ ପ୍ରଶିକ୍ଷଣ, ଆତ୍ମନିଯୁକ୍ତ ତଥା ପୁନର୍ବାସ ଲାଗି ସ୍ଵତନ୍ତ୍ର ସହାୟତା ଦିଆଯାଉଛି ।
ସେହିପରି ରାଜ୍ୟକୁ ଭିକାରୀମୁକ୍ତ କରିବା ଲାଗି ପୁରୀରେ ନୀଳାଦ୍ରି ନିଳୟ ଓ ଭୁବନେଶ୍ଵରରେ ଏକାମ୍ର ନିଳୟ ନାମରେ ସ୍ଵତନ୍ତ୍ର ଅଭଯାନ ହାତକୁ ନିଆଯାଇଛି । ଏଥିସହ ଖୋର୍ଦ୍ଧା, କଟକ ମହାନଗର ନିଗମ, ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।