ବିଧାନସଭାରେ ଉଠିଲା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଯାଇଥିବା ବେଳେ ଏହାକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି କିଟ୍ ପ୍ରସଙ୍ଗ । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଥିବାବେଳେ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା । ତେବେ ଏହି ଘଟଣାରେ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ଦାବି ଉଠିଛି । ବିଜେପି ବିଧାୟକ ବାବୁ ସିଂହ ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।
ସେ କହିଛନ୍ତି, ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ର ଏଭଳି ଆଚରଣ ପାଇଁ ଓଡ଼ିଶା ସାରା ଭାରତ ବର୍ଷରେ ଲଜ୍ଜିତ । ବାହାର ଦେଶର ପିଲାଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କିଟ୍ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ ହୋଇଥିବ । ଏଥିପାଇଁ ତୁରନ୍ତ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ବାବୁ ସିଂ।