ରଣବୀର ଆହ୍ଲାବାଦିଆଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯେବେଠାରୁ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପିତାମାତାଙ୍କ ବିଷୟରେ ଅଶାଳୀନ ବୟାନ ଦେଇଛନ୍ତି ସେବେଠାରୁ ବିବାଦ ତାଙ୍କ ପିଛା ଛାଡୁନି। ଆଜି ଶୁଣାଣି ସମୟରେ ରଣବୀର ଆହ୍ଲାବାଦିଆଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍’ ଶୋ ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ ଅଦାଲତ। ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବା ସହ ଦେଶ ଛାଡ଼ି ନଯିବାକୁ ଦେଲେ ନିର୍ଦ୍ଦେଶ। ତେବେ ଏହି ମାମଲାର ଶୁଣାଣି ସମୟରେ ରଣବୀର ଆହ୍ଲାବାଦିଆ ପିତା, ମାତାଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରବଳ ବର୍ଷିଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ବେଞ୍ଚ । ଅଭିଭାବକମାନଙ୍କ ପ୍ରତି ଏଭଳି ବିକୃତ ମାନସିକତା ରହିଥିବା ଲୋକଙ୍କ କଥା ଆମେ କାହିଁକି ଶୁଣିବୁ ବୋଲି କଡ଼ା ସ୍ବରରେ ପ୍ରଶ୍ନ କରିଛନ୍ତି କୋର୍ଟ ।
କମେଡିଆନ ସମୟ ରାଇନାଙ୍କ ସୋ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍’ରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଦାୟର କରାଯାଇଥିଲା ଏକାଧିକ ମାମଲା । ଏସବୁ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ୟୁଟ୍ୟୁବର ତଥା ପୋଡ଼କାଷ୍ଟର ରଣବୀର ଆହ୍ଲାବାଦିଆ, ଯାହା ଉପରେ ଆଜି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଶୁଣାଣି କରାଯାଇଛି।