ସାରଥୀଙ୍କୁ କେନ୍ଦ୍ରାପଡା ଯିବାକୁ ଅନୁମତି ଦେଲେ ହାଇକୋର୍ଟ

ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ମିଳିଛି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଏହି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ମିଳିଛି। ଆଶ୍ରମ ଯାଇପାରିବେନି, କିମ୍ବା ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ବୋଲି ଏଥିରେ ସର୍ତ୍ତ ରହିଛି। ଅନ୍ୟପଟେ ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର ରହିଛି। ୨ ଶହରୁ ଅଧିକ ଲୋକ ସମାଗମ ନ କରିବାକୁ ପୂର୍ବରୁ ବି ସର୍ତ୍ତ ରହିଥିଲା । ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କରିଛନ୍ତି ହାଇକୋର୍ଟ ।
କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମରେ ଧର୍ମ ନାଁରେ ଅପପ୍ରଚାର କରିବା ଏବଂ ମହିଳାଙ୍କ ସହିତ ଅସଦାଚରଣ ଆଦି ଏକାଧିକ ମାମଲାରେ ଛନ୍ଦି ହୋଇ ଜେଲରେ କିଛି ବର୍ଷ ରହିବା ପରେ ଏବେ ଜାମିନରେ ବାହାରକୁ ଆସିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ। ଭକ୍ତଙ୍କ ସମାବେଶ କିମ୍ବା ପ୍ରବଚନ କାର୍ଯ୍ୟକ୍ରମ କରିବାକୁ ତାଙ୍କ ଉପରେ ବାରଣ ରହିଛି । ସାରଥି ଏବେ କେଉଁଠି ତାହା ସ୍ପଷ୍ଟ ନଥିଲେ ମଧ୍ୟ କିଛି ସ୍ଥାନରେ ଏବେ ବି ସାରଥିଙ୍କ ଅନ୍ଧ ସମର୍ଥକ ପୂଜାର୍ଚ୍ଚନା କରୁଥିବା ଘଟଣା ବେଳେବେଳେ ସାମ୍ନାକୁ ଆସୁଛି ।