Featuredଓଡ଼ିଶାରାଜନୀତି

ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମିଟିଂକୁ ବିଜେଡି ସୁପ୍ରିମୋଙ୍କ ପ୍ରତ୍ୟାଖାନ!

ତାମିଲନାଡୁ: ଇଣ୍ଡି ମେଣ୍ଟକୁ ଢଳୁଛନ୍ତି ନବୀନ । ମହାଗଠବନ୍ଧନ ମୁହଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି । ଖରା ତାତି ଭିତରେ ଏହି ହାୱା ରାଜନୈତିକ ପାଣିପାଗକୁ କରିଦେଇଥିଲା ଆହୁରି ଗରମ । ଆଉ ଏଥିରେ ଆଉ ଟିକେ ଘିଅ ଢାଳି ଥିଲେ ବିଜେପି ବିଧାୟକ । ସରୋଜ ପାଢୀଙ୍କ ବିସ୍ଫୋରକ ବୟାନ ପରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି ।

ତେବେ ଏହି ଚର୍ଚ୍ଚା ଭିତରେ ନିଜକୁ ଦୁରେଇ ରଖିବାକୁ ଚେଷ୍ଟା କରିଛନ୍ତି ନବୀନ । ନିଜେ ଡିଲିମିଟେସନ ସମ୍ମିଳନୀକୁ ନଯାଇ ଦୂତ ପଠାଇଛନ୍ତି । ଅର୍ଥାତ ଚେନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଡିଲିମିଟେସନ ମିଟ୍ ପାଇଁ ୨ଜଣଙ୍କୁ ଚୟନ କରିଛନ୍ତି । ବିଜୁ ଜନତା ଦଳର ପ୍ରତିନିଧି ଭାବେ ପୂର୍ବତନ ସାଂସଦ ଡକ୍ଟର ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଚେନ୍ନାଇ ଗସ୍ତ କରିଛନ୍ତି । ଏହି ୨ ଜଣଙ୍କୁ ପ୍ରତିନିଧି କରି ପଠାଉଛନ୍ତି ବିଜେଡି ସୁପ୍ରିମୋ । ଆସନ୍ତାକାଲି ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୀମା ପୁନଃନିର୍ଦ୍ଧାରଣ ହେଲେ ଓଡିଶାର ସ୍ୱାର୍ଥ କିପରି ସୁରକ୍ଷିତ ହୋଇପାରିବ, ସେ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ବିଜେଡି ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବିଜେଡି କାର୍ଯ୍ୟାଳୟ ତରଫରୁ ଜାରି ହୋଇଛି ନୋଟିସ୍ ।

ତେଣୁ କୁହାଯାଉଛି କି ଇଣ୍ଡି ମେଂଟ ଚର୍ଚ୍ଚାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ନବୀନ । ଏଥିପାଇଁ ଏହି କାର୍ଯ୍ୟକ୍ରମକୁ ନଯାଇ ଦୂତ ପଠାଇଛନ୍ତି ବୋଲି ଆଲୋଚନା ହେଉଛି । ଏଠାରେ ମନେ ପକାଇ ଦେଉଛୁ ଯେ, ବିଜେଡି ଇଣ୍ଡି ମେଂଟରେ ମିଶିବା ନେଇ ଚର୍ଚ୍ଚା ସେତେବେଳେ ଉଠିଥିଲା, ଯେତେବେଳେ ତାମିଲନାଡ଼ୁର ଡିଏମକେ ସାଂସଦ ଦୟାନିଧି ମରନ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଡିଲିମିଟେସନକୁ ନେଇ ଉଭୟଙ୍କ ଭିତରେ ଆଲୋଚନା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଭେଟଘାଟ ଆଉ ଏକ ପ୍ରସଙ୍ଗକୁ ରାଜନୈତିକ ଗରମ ହାୱା ଦେଇଛି । ଏବେ ଚର୍ଚ୍ଚା ଇଣ୍ଟି ମେଣ୍ଟକୁ ନେଇ ହୋଇଛି । ତେବେ ଆଗକୁ ଏହା କେଉଁ ମୋଡ ନେଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com