
କର୍ଣ୍ଣାଟକ: ବିଧାନସଭା ଯିବେନି ବିଜେପି ବିଧାୟକ । କୌଣସି ଅଧିବେଶନରେ ନେଇ ପାରିବେନି ଭାଗ । ସପ୍ତାହେ କି ୨ସପ୍ତାହେ ନୁହେଁ, ପୁରା ୬ମାସ ପାଇଁ ଲାଗିଛି କଟକଣା । ଖାଲି ସେତିକି ନୁହେଁ ଜଣେ କି ୨ଜଣ ବିଧାୟକଙ୍କ ଉପରେ ହୋଇନି ଏଭଳି କାର୍ୟ୍ୟାନୁଷ୍ଠାନ ବରଂ ୧୮ଜଣ ବିଧାୟକଙ୍କୁ ଏକାଥରକେ କରାଯାଇଛି ସସପେଣ୍ଡ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ।
ଏହା ସହିତ ମାର୍ଶଲ ଲଗାଇ ସେମାନଙ୍କୁ ଟେକି ଟେକି ବାହାରକୁ ଅଣାଯାଇଛି । ତେବେ ଏହି ଅବଧି ମଧ୍ୟରେ ଗୃହ, ଲବି ଓ ଗ୍ୟାଲେରୀକୁ ପଶିପାରିବେ ନାହିଁ ଏହି ବିଧାୟକ । ଏହାସହ ବିଧାନସଭା ଷ୍ଟାଣ୍ଡିଂ କମିଟିର କୌଣସି ବୈଠକରେ ନେଇପାରିବେ ନାହିଁ ଭାଗ । ସେହିପରି ଏହି ସମୟରେ ଦୈନିକ ଆଲାଉନ୍ସ ପାଇବେ ନାହିଁ ବୋଲି ନିଦେ୍ର୍ଦଶ ଦେଇଛନ୍ତି ବାଚସ୍ପତି । ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ବିଧାନସଭାରେ । ରାଜ୍ୟରେ କଂଗ୍ରେସ ସରକାର ‘୬୦ ପ୍ରତିଶତ କମିଶନ୍’ ନେଉଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରୁଥିଲେ ବିଜେପି ବିଧାୟକ। ହନିଟ୍ରାପ ବିବାଦ ଓ ଠିକା କାମରେ ମୁସଲିମଙ୍କୁ ୪ ପ୍ରତିଶତ କାମ ଦେବା ସଂପର୍କିତ ବିଲକୁ କରୁଥିଲେ ବିରୋଧ । ଫଳରେ ଗୃହ ଭିତରେ ଚାଲିଥିଲା ହଟ୍ଟଗୋଳ ଓ ନାରାବାଜି । ଏମିତିକି କେତେ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେଣୁ କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଡେର ୧୮ ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ବିଧାୟକ ବାହାରକୁ ନଯିବାରୁ ଶେଷରେ ମାର୍ଶଲ ଲଗାଇ ଟେକି ଟେକି ସେଠୁ ବହାରକୁ ବାହାର କରିଥିଲେ । ଖାଲି ଏତିକି ନୁହେଁ ବିଜେପି ବିଧାୟକମାନେ କାଗଜପତ୍ର ମଧ୍ୟ ଚିରିଥିଲେ । ଯେଉଁଥିରେ ଏହି ୧୮ ଜଣ ବିଜେପି ବିଧାୟକଙ୍କୁ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ୬ ମାସ ପର୍ୟ୍ୟନ୍ତ ସସପେଣ୍ଡ କରାଯାଇଛି। ଗତ ଶୁକ୍ରବାର ଠାରୁ ଏହି ନିଦେ୍ର୍ଦଶ ଲାଗୁ ହୋଇଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି।