
ମହାରାଷ୍ଟ୍ର: ଅଡ଼ୁଆରେ କୁନାଲ କାମରା । ମହାରାଷ୍ଟ୍ର ରାଜନୀତିରେ ପଡ଼ିଲା ଚହଳ । ଭଙ୍ଗାରୁଜା କଲେ ସନେ୍ଦ ସମର୍ଥନ । ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କ କମେଡିକୁ ନେଇ ଏବେ ତେଜିଛି ମହାରାଷ୍ଟ୍ର ରାଜନୀତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ମୁଖ୍ୟ ଏକନାଥ ସିନେ୍ଦଙ୍କୁ ନେଇ ବିବାଦୀୟ କମେଡି କରିଥିଲେ କୁନାଲ । ଗରିବଙ୍କ ଠୁ ଭୋଟ ନେବା, ବେକାରୀ ବଢାଇବା, ଦଙ୍ଗା ବଢାଇବା, ଗୀତ ମାଧ୍ୟମରେ କଟାକ୍ଷ କରିବା, କରୋନା ସମୟରେ ସିନେ୍ଦ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତିକୁ ଭିତ୍ତିହୀନ କହିବା, ଧୋକେବାଜ୍ କହିବା ପରି ଅନେକ କଟାକ୍ଷ ଯୁକ୍ତ କମେଡିକୁ ନେଇ ତାତିଛି ଶିବ ସେନା । କେବଳ ସେତିକି ନୁହେଁ ଏହି ଶୋ’ ଆୟୋଜିତ ହୋଇଥିବା ଷ୍ଟୁଡିଓରେ ମଧ୍ୟ ପଶି ଭଙ୍ଗାରୁଜା କରିଛନ୍ତି ସିନେ୍ଦ ସମର୍ଥକ ।
କୁନାଲଙ୍କ ଏପରି କମେଡିକୁ ନେଇ ବିଜେପି ଓ ଶିବସେନା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଶୋ’ ଶେଷକୁ ସମ୍ବିଧାନ ବହି ଧରି କୁନାଲ ନିଜ ସପକ୍ଷରେ କହିଥିଲେ ଯେ ଆମ ସମ୍ବିଧାନ ଆମକୁ ବାକ୍ ସ୍ୱାଧୀନତା ଦେଇଛି । ମୁଁ ଆଜି ଯାହା ବି କହିଛି ଏହି ସାମ୍ବିଧାନିକ ଅଧିକାର ପାଇଁ କହିଛ । କିନ୍ତୁ ଅନ୍ୟପକ୍ଷେ ଭାରତ ପରି ଗଣତନ୍ତ୍ର ରାଷ୍ଟ୍ରରେ ରହି ବାକ୍ ସ୍ୱାଧୀନତା ଆଳରେ କାହାକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିବା ତଥା ଅଧିକାରର ଭୁଲ ବ୍ୟବହାର କରିଥିବା କହିଛନ୍ତି ବିଜେପି ଓ ଶିବ ସେନା ନେତା । କିନ୍ତୁ ବିରୋଧୀ ଦଳ କୁନାଲଙ୍କୁ ସମର୍ଥନ ଜଣାଇଛନ୍ତି ।