
ଭୁବନେଶ୍ୱର: ଜୀବନରେ ମାତୃଭାଷାର ବ୍ୟବହାର ଆତ୍ମୀୟତା ବଢାଇବା ସହ ସାହିତ୍ୟ ସମାଜକୁ ନୂଆ ଦିଗ ଦେଖାଇଥାଏ । ଓଡ଼ିଆ ଭାଷା, ସାହିତ୍ୟକୁ ଆଗକୁ ନେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ଏବଂ ପ୍ରେରଣା ଦେବା ଆବଶ୍ୟକ । ଡକ୍ଟର ବନମାଳି ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଭାଗ ନେଇ ଅତିଥିମାନେ ଏପରି ମତ ଦେଇଛନ୍ତି ।
ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ କାର୍ୟ୍ୟକ୍ରମକୁ ବେଶ୍ ପ୍ରଶଂସା କରିଛନ୍ତି ।
ଏହି ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ପୁରୁଷତ୍ତୋମପୁର ଗାଙ୍ଗଦହଣୀ ସରକାରୀ ୟୁଜି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗୋଦାବରୀ ସାହୁଙ୍କୁ ୫୦ ହଜାର ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୁନ୍ଦରଗଡ କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ପାତ୍ରଙ୍କୁ ୪୦ ହଜାର ଟଙ୍କା ପୁରସ୍କାର ଦିଆଯାଇଛି । ସେହିପରି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ଆଠଗଡ ଧୁରୁଷିଆ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣମୟୀ ପ୍ରଧାନ ଏବଂ କଳାହାଣ୍ଡି ମ. ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀପିକା ସାହୁଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି ।
ଏଥିସହିତ କୃତି ପ୍ରତିଯୋଗୀମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଲଗେରିଆର ପ୍ରସିଦ୍ଧ ଲେଖିକା ତାନ୍ୟା ଇଭୋନୋଭା, କଳିଙ୍ଗ ସାହିତ୍ୟ ଉତ୍ସବର ପ୍ରତିଷ୍ଠାତା ଅଶୋକ ବଳ, ସୌମ୍ୟରଞ୍ଜନ ସାହୁ, ଶ୍ରେୟା ମିଶ୍ର ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।