ଓଡ଼ିଶା

ବ୍ରଜରାଜନଗରରେ ଦ୍ବିତୀୟ ଉପନିର୍ବାଚନ

ଝାରସୁଗୁଡ଼ା, ମେ 4: ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ବ୍ରଜରାଜନଗରରେ ପୁଣି ଥରେ ହେବାକୁ ଯାଉଛି ଉପ-ନିର୍ବାଚନ । ଦୁଇ ଦଶନ୍ଧୀରୁ ଅଧିକ ବର୍ଷର ବ୍ୟବଧାନରେ ଚଳିତ ମାସ 31 ତାରିଖରେ ଏଠାରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ ।

ପୂର୍ବରୁ ୧୯୯୮ ମସିହାରେ, ତତ୍କାଳୀନ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ଏଠାରେ ପ୍ରଥମ ଥର କରାଯାଇଥିଲା ଉପ-ନିର୍ବାଚନ । ଏହାପରେ ଚଳିତ ବର୍ଷ ମେ ୩୧ରେ ଅଥାତ ୨୪ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

୧୯୬୧ ମସିହାରେ ବିଧାନସଭା ଆସନର ମାନ୍ୟତା ପାଇଥିଲା ବ୍ରଜରାଜନଗର । ସେ ସମୟରେ  ଅଞ୍ଚଳର ବିଶିଷ୍ଟ ସିପିଆଇ (ବାମପନ୍ଥୀ) ନେତା ପ୍ରସନ୍ନ ପଣ୍ଡା ଏହି ବିଧାନସଭା ଆସନରୁ ସର୍ବାଧିକ ୬ ଥର ନିର୍ବାଚିତ ହୋଇ ରେକର୍ଡ କରିଥି‌‌ଲେ। ୧୯୬୧, ୧୯୬୭, ୧୯୭୪, ୧୯୮୫, ୧୯୯୦ ଓ ୧୯୯୫ ବିଧାନସଭା ନିର୍ବାଚନରେ ସେ ଏଠାରୁ ବିଧାୟକ ହୋଇଥିଲେ। ଏହାପରେ କଂଗ୍ରେସ ମଧ୍ୟ ଏଠାରେ ତାର ପତିଆରା ଜାହିର କରିଥିଲା। କଂଗ୍ରେସ ଓ ଓଡ଼ିଶା ଜନ କଂଗ୍ରେସ ଦଳ ଏହି ଆସନକୁ ୬ ଥର ଅକ୍ତିଆର କରିଥିଲା।

ସେହିପରି ଉପେନ୍ଦ୍ର ଦିକ୍ଷୀତ ୧୯୭୧ରେ ଓଡ଼ିଶା ଜନ କଂଗ୍ରେସରୁ, ୧୯୭୭ରେ କଂଗ୍ରେସରୁ, ୧୯୮୦ରେ କଂଗ୍ରେସ(ଆଇ)ରୁ ତିନିଥର ବିଧାୟକ ହୋଇଥିଲେ। ୨୦୦୦, ୨୦୦୪ ଓ ୨୦୦୯ରେ କଂଗ୍ରେସରୁ ଅନୁପ ସାଏ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନ ପୂର୍ବରୁ ଅନୁପ ସାଏ ହାତ ଛାଡ଼ି ଶଙ୍ଖରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜେପି ପ୍ରୁରତିଦ୍ବନ୍ଦ୍ବୀ ରାଧାରାଣୀ ପଣ୍ଡା ବିଧାନସଭା ଆଶନ ଜିତିଥିଲେ । ୨୦୧୯ ନିର୍ବାଚନରେ ବିଜେଡିରୁ ସ୍ବର୍ଗତ କିଶୋର ମହାନ୍ତି ଏଠାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ।

୧୯୯୮ରେ ବ୍ରଜରାଜନଗର ପ୍ରଥମ ଥର ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସର କେଶବ ସାହୁ, ମାତ୍ର ୫୨୨ଟି ଭୋଟ୍ ବ୍ୟବଧାନରେ ରାଧାରାଣୀ ପଣ୍ଡାଙ୍କଠାରୁ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ସିପିଆଇର ମହମ୍ମଦ ଜାକିରୁଲ୍ଲା  ୨୫,୮୦୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୯ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ାରେ ବିଜେଡି-ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ବିଜେଡି ନେତା କିଶୋର ମହାନ୍ତି ୮୦,୧୫୨ ଭୋଟ ପାଇଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ପାଇଥିଲେ ୬୮,୧୫୩ ଭୋଟ୍ । କଂଗ୍ରେସ ଆସନ ବୁଝାମଣା କରି ସିପିଆଇକୁ ଏଠାରେ ସୁଯୋଗ ଦେଇଥିବା ବେଳେ ସିପିଆଇ ନେତା ରମେଶ ତ୍ରିପାଠୀ ମାତ୍ର ୯,୩୫୦ ଭୋଟ ପାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com