
ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଆରମ୍ଭ ଆର୍ଥିକ ବର୍ଷ । ଆଉ ଏହି ପହିଲାରୁ ହେବ ବଡ ପରିବର୍ତନ । ବଦଳିଯିବ ନିୟମ । ଯାହାର ସିଧା ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ । ଆର୍ଥିକ ବର୍ଷ ଆରମ୍ଭରୁ ଲୋକଙ୍କ ଜୀବନଶୈଳୀ ସହ ଜଡିତ କେତେକ ଚେଂଜ ହେବାକୁଥିବାରୁ ପକେଟକୁ ଭାରି ବାଧିବ । କାରଣ ୨୦୨୫-୨୬ ଏପ୍ରିଲରେ ଲାଗୁ ହେବ ଅନେକ ନୂଆ ନିୟମ । ଟ୍ୟାକ୍ସ ସ୍ଲାବ ଠାରୁ ୟୁପିଆଇ ଏବଂ ବ୍ୟାକିଂ ଠାରୁ ନେଇ ପୋଷ୍ଟ ଅଫିସ, ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆସନ୍ତୁ ଜାଣିବା ଆସନ୍ତାକଲି ଅର୍ଥାତ ମଙ୍ଗଳବାର ଠାରୁ କେଉଁ ଜିନିଷରେ କଣ ଚେଞ୍ଜ ଦେଖିବାକୁ ମିଳିବ ।
ପ୍ରଥମେ ଦେଖିବା ଆୟକର ନିୟମରେ ଆସିବ ପରିବର୍ତନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରୀ ୧ରେ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ । ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ରିଡକ୍ସନ ମିଳିବ । ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ସେହିପରି କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବା ସହ ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ । ଏହାସହ ୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍ (ୟୁନିଫାଏଡ୍ ପେନସନ୍ ସ୍କିମ) ଘୋଷଣା କରିଥିଲେ ।
ଆସନ୍ତା ପହିଲାରୁ ପୁରୁଣା ପେନସନ୍ ସ୍କିମ (ଓପିଏସ୍) ବଦଳରେ ୟୁପିଏସ୍ କାର୍ୟ୍ୟକାରୀ ହେବ । ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବା, ଏହି ନିୟମ ଅନୁଯାୟୀ, ଅତିକମ୍ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନ୍ସନ୍ ପାଇବେ । ଅନ୍ୟପଟେ ଏପ୍ରିଲ ପହିଲାରୁ ବଦଳିଯିବ ଜିଏସ୍ଟି ନିୟମ । ଜିଏସ୍ଟି ପୋର୍ଟାଲରେ ମଲ୍ଟି, ଫ୍ୟାକ୍ଟରରେ ଅଥେଣ୍ଟିକେସନ୍ (ଏମ୍ଏଫ୍)କୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍ ପାଇଁ ଇ-ୱେବିଲ୍ ସୃଷ୍ଟି କରାଯାଇ ପାରିବ ।
ଏହାସହ ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ୟ୍ୟକାରୀ କରିବେ । ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ। ସେହିଭଳି ସୁଧହାରରେ ପରିବର୍ତ୍ତନ, ଡିଭିଡେଣ୍ଡ ଓ ମ୍ୟୁଚୁଆଲ ଫଣ୍ଡ ଆୟରେ ଞଊଝ ରିହାତି, ଅତ୍ୟାବଶ୍ୟକ ଔଷଧ ଯଥା କ୍ୟାନସର ଓ ପେନକ୍ଲିୟର ଭଳି ମେଡିସିନର ଦରବୃଦ୍ଧି ଆଦି କାଲିଠାରୁ ଲାଗୁ ହେବ । ସେପଟେ ମେ ୧ ତାରିଖରୁ ଏଟିଏମ୍ ଟଙ୍କା ଉଠାଇବା ପାଇଁ ଅଧିକ ଦେୟ ଦେବାକୁ ପଡ଼ିବା ନେଇ ଘୋଷଣା କରିଛି ଆରବିଆଇ। ନିଜ ଖାତା ଥିବା ବ୍ୟାଙ୍କରେ ୫ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଅଧିକ ୨ ଟଙ୍କା । ଅନ୍ୟ ବ୍ୟାଙ୍କର ଏଟିଏମ୍ ରୁ ଉଠାଇଲେ ୩ ଥର ଫ୍ରି ପରେ ଦେବାକୁ ପଡ଼ିବ ବର୍ଦ୍ଧିତ ଦେୟ ।