Featuredଜାତୀୟରାଜନୀତି

କଂଗ୍ରେସର ବଡ ରଣନୀତି ପ୍ରସ୍ତୁତ, ମହାଅଧିବେଶନରେ ଏକାଠି ହେଲେ ଶୀର୍ଷ ନେତୃତ୍ୱ

ଗୁଜୁରାଟ: ଗୋଟିଏ ସ୍ଥାନରେ ଏକାଠି କଂଗ୍ରେସ । ମେଳି ବାନ୍ଧିଛନ୍ତି ଶୀର୍ଷ ନେତୃତ୍ୱ । ଘର ସଜାଡିବାକୁ ଚାଲିଛି ଜୋରଦାର କସରତ । ଏନେଇ ଚାଲିଛି ମହାଅଧିବେଶନ । ସାମିଲ ହୋଇଛନ୍ତି ୬ଟି ରାଜ୍ୟର ତୁଙ୍ଗନେତା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗୁଜୁରାଟରେ । ଦୀର୍ଘ ୬୪ବର୍ଷ ପରେ ଅହମଦାବାଦରେ ଆୟୋଜିତ ହୋଇଛି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ । ସିଡବ୍ଲୁସି ମିଟିଂ ସହ ଆରମ୍ଭ ହୋଇଛି ଦଳର ୮୪ତମ ମହାଅଧିବେଶନ । ଆଗକୁ ବିହାର, ଗୁଜୁରାଟ ସମେତ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ପ୍ରସ୍ତୁତ ହେଉଛି ବଡ ରଣନୀତି । ଦଳକୁ ସାଂଗଠନିକ ସ୍ତରରେ ମଜଭୂତ କରିବା ପାଇଁ ଏଥିରେ ନିଷ୍ପତି ନିଆଯାଇଛି । ୮ ଓ ୯ ତାରିଖ ୨ଦିନ ଧରି ଚାଲିବ ଏହି କାର୍ୟ୍ୟକ୍ରମ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଦଳର ଶୀର୍ଷ ନେତୃବୃନ୍ଦ ବୈଠକରେ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ ମଙ୍ଗଳବାର ମୋଟ ୧୬୯ଜଣ ନେତା ଯୋଗ ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା, ୱାକଫ ସଂଶୋଧନ ଆଇନ, ଇଣ୍ଡିଆ ମେଣ୍ଟର ଆଗାମୀ ରଣନୀତି, ଦେଶର ଆର୍ଥିକ ସ୍ଥିତି, ସମ୍ବିଧାନକୁ ବିଜେପି ଓ RSS ଦୁର୍ବଳ କରୁଥିବା ଅଭିଯୋଗ, ନିର୍ବାଚନରେ ଭୋଟର ତାଲିକାରେ ଗଡ଼ବଡ଼ ପରି ପ୍ରସଙ୍ଗରେ ଆଲୋଚନା କରାଯାଉଛି । ଏଥିସହ ଭାରତ ଉପରେ ଆମେରିକା ରେସିପ୍ରୋକାଲ ଟାରିଫ ଶୁଳ୍କକୁ ନେଇ ଚର୍ଚ୍ଚା କରାଯାଉଛି । ସେହିପରି ଆଜି ଅର୍ଥାତ ବୁଧବାର ସାବରମତୀରେ ଏଆଇସିସି ବିଶାଳ ଅଧିବେଶନ ବସୁଛି । ଯେଉଁଥିରେ ସାରା ଦେଶରୁ ୨୫୦୦ ନେତା ଯୋଗ ଦେଇଛନ୍ତି । ତେବେ ଚର୍ଚ୍ଚା ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବଡ ଦାୟିତ୍ବ ଦିଆଯାଇପାରେ । ପୂର୍ବରୁ ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରିୟଙ୍କା ସକ୍ରିୟ ଭୂମିକା ଦେଖିବାକୁ ମିଳିଥିଲା । ପରେ ୱାୟନାଡ଼ ଉପନିର୍ବାଚନ ଜିତି ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି କରିଥିଲେ ଆଉ ଏବେ ଆଗାମୀ ନିର୍ବାଚନ ପାଇଁ ଦଳ ପୁଣି ଗୁରୁଦାୟିତ୍ବ ଦେଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com