
ନୂଆଦିଲ୍ଲୀ: ବଜାରରେ କମୁଛି ଅଶୋଧିତ ତେଲ ଦର । କିନ୍ତୁ ଲୋକଙ୍କ ଠାରୁ ଲୁଟିବାରେ ବ୍ୟସ୍ତ କଂପାନୀ । ସ୍ଥିତି ଯେତେ ଅନୁକୂଳ ହେଲେ ମଧ୍ୟ ତେଲ ଦର କମାଇବାକୁ ଚାହୁନାହାନ୍ତି କମ୍ପାନି । ସରକାର ବି ଚାପ ପକାଉନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ପରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍ ଲିଟର ପିଛା ୧୫ ଟଙ୍କାର ଲାଭ କରୁଛନ୍ତି । କିନ୍ତୁ ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚୁନାହିଁ । ଦୀର୍ଘଦିନ ଧରି ଗୋଟିଏ ଦାମ୍ରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ପ୍ରଭାବରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୬୫ ଡଲାର ପାଖାପାଖି ହ୍ରାସ ପାଇଛି । ସେଥିପାଇଁ ତେଲ ଦର କମ୍ ହେବାର ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ଦାମ ନ କମାଇ ମାଲାମାଲ ହେଉଛନ୍ତି ତୈଳ କମ୍ପାନି ମାଲିକ । ପେଟ୍ରୋଲ୍ ଲିଟର ପିଛା ୧୨-୧୫ ଟଙ୍କା, ଡିଜେଲ୍ରେ ୬ ଟଙ୍କା ୧୨ ପଇସାର ଲାଭ କରୁଥିବା ଜଣାପଡିଛି ।
ଅନ୍ୟପଟେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨ଟଙ୍କା ବଢାଇଛନ୍ତି ସରକାର। ତେଣୁ ତେଲ କମିବାର ଆଉ ସମ୍ଭାବନା ନଥିବା ଦେଖାଦେଇଛି । ଫଳରେ ବେହାଲ ହୋଇପଡିଛି ଗ୍ରାହକଙ୍କ ସ୍ଥିତି। ତେବେ ରିପୋର୍ଟ କହୁଛି ଗତ ୫ ବର୍ଷ ମଧ୍ୟରେ ଦେଶର ସାତଟି ବଡ଼ ତେଲ କମ୍ପାନି ବିପୁଳ ଲାଭ କରିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ୫ ବର୍ଷରେ ୩୫ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲଗାଇ କେନ୍ଦ୍ର ସରକାର ୨୧.୪ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି. ରାଜ୍ୟଗୁଡ଼ିକ ମିଳିତ ଭାବେ ୧୩.୬ ଲକ୍ଷ କୋଟି ଟଙ୍କାର ରୋଜଗାର କରିଛନ୍ତି। ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ୫ ବର୍ଷରେ ସର୍ବାଧିକ ୨.୮୬ ଲକ୍ଷ କୋଟି ଟଙ୍କାର ଲାଭ କରିଛି ତେବେ ଏଥିପାଇଁ ଦାୟୀ କିଏ? ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।