ଓଡ଼ିଶାଜାତୀୟ

ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇବା ପାଇଁ ଲାଞ୍ଚ କାରବାର, ୩ ଗିରଫ

ଖୋର୍ଦ୍ଧା :  ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇବା ପାଇଁ ଲାଞ୍ଚ କାରବାର ହୋଇଛି । ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଉଛନ୍ତି ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଖୋର୍ଦ୍ଧା ପୁଲିସ ଏମାନଙ୍କୁ ଗିରଫ କରି ୪ଟି ମୋବାଇଲ ଜବତ କରିଛି।

ଅଭିଯୁକ୍ତମାନେ ଅଗ୍ନିବୀରରେ ନିଯୁକ୍ତି କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ବୋଲି  କହିଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ । ଗିରଫ ୩ ଜଣ ଆଇଏନ୍ଏସ୍ ନାଭାଲ ଚିଲିକାରେ କାର୍ଯ୍ୟରତ । ଏମାନଙ୍କର ମଧ୍ୟରୁ ଉତ୍ତର ପ୍ରଦେଶ ବାସିନ୍ଦା ଭୂଷଣ ଚାକିରିରୁ ଅବସର ନେଇ ସାରିଛନ୍ତି। ସତ୍ୟମ ଚହର ଆଇଏନ୍ଏସ୍ କେସରୀରେ ଓ ବିନୟ କୁମାର ରାୟ ଆଇଏନ୍ଏସ୍ ଚିଲିକାରେ କାର୍ଯ୍ୟରତ ଅଛନ୍ତି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ସେମାନେ ଆଣ୍ଡାମାନ ନିକୋବର ଆଇଏନ୍ଏସ୍ କେଶରୀରେ କାର୍ଯ୍ୟରତ ଅଛନ୍ତି। ତଦନ୍ତ ପ୍ରକ୍ରିୟା ସରିଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ସାଗରିକା ।

ଅଗ୍ନିବୀର ପରୀକ୍ଷାରେ ତ୍ରୁଟି ଏବଂ ଦୁର୍ନୀତି ନେଇ ସୂଚନା ମିଳିବା ପରେ ପୁଲିସ ଗତ ୧୯ ତାରିଖରେ ଏନେଇ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଗ୍ନିବୀର ପରୀକ୍ଷା ସଂପର୍କିତ ଦୁର୍ନୀତି ହୋଇଛି ବୋଲି ଜଣାପଡ଼ିଥିଲା। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୨୦୨୪ରେ ପରୀକ୍ଷା ଦେଇଥିଲେ। ପିଲାମାନଙ୍କୁ ପାସ୍ କରାଇଦେବା ତଥା ଅନ୍ୟ କାର୍ଯ୍ୟ ପାଇଁ ଅଭିଯୁକ୍ତମାନେ ମୋଟା ଅଙ୍କର ଟଙ୍କା ନେଇଥିଲେ।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୧୨ଟି ଆକାଉଣ୍ଟ ଜବତ କରିଛି। ଅଭିଯୁକ୍ତମାନେ ଜଣକ ଠାରୁ ୩୦ ହଜାରରୁ ୧. ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ନେଇଥିଲେ। ଏହି ଅଭିଯୁକ୍ତମାନେ କିଛି  ପ୍ରାର୍ଥୀଙ୍କ ଠାରୁ ନଗଦ ଟଙ୍କା ଏବଂ କିଛି ପ୍ରାର୍ଥୀଙ୍କ ଠାରୁ ୟୁପିଆଇ ମାଧ୍ୟମରେ ଲାଞ୍ଚ ନେଇଥିଲେ। ତେବେ ଅଭିଯୁକ୍ତମାନେ କେତେ ଜଣ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com